ସାଉଥହାମ୍ପଟନ: କୋରୋନା ମହାମାରୀ ମଧ୍ୟରେ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଆରମ୍ଭ ହୋଇଯାଇଛି । ଗୁରୁବାର ରୋଜ୍ ବାଉଲରେ ଖେଳାଯାଉଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡକୁ 6 ଓ୍ବିକେଟରେ ପରାସ୍ତ କରିଛି ଘରୋଇ ଦଳ ଇଂଲଣ୍ଡ । ପ୍ରଥମେ ଟସ ଜିତି ଇଂଲଣ୍ଡ ବୋଲିଂ ନିଷ୍ପତ୍ତି ନେଇଥିଲା ।
ତେବେ ଇଂଲଣ୍ଡ ବୋଲରଙ୍କ ଦମଦାର ବୋଲିଂ ଆଗରେ ଆୟର୍ଲାଣ୍ଡ ଟିମ ବଡ ସ୍କୋର କରି ପାରି ନଥିଲା । 44.4 ଓଭରରେ 10 ଓ୍ବିକେଟ ବିନିମୟରେ 172ରନ କରିଥିଲା ଭ୍ରମଣକାରୀ ଦଳ ଆୟର୍ଲାଣ୍ଡ । ଦଳ ପକ୍ଷରୁ କାର୍ଟିସ୍ କ୍ୟାମ୍ପର୍ ସର୍ବାଧିକ 59ରନ ସଂଗ୍ରହ କରିଛନ୍ତି । ଆଣ୍ଡି ମ୍ୟାକବ୍ରାଇନ୍ 40ରନ, କେଭିନ ଓ ଗ୍ରେଥ ଉଭୟ 22ରନ ସଂଗ୍ରହ କରିଛନ୍ତି । ତେବେ ବିପକ୍ଷ ଦଳ ଇଂଲଣ୍ଡ ପକ୍ଷରୁ ଡେଭିଡ ଓ୍ବିଲି ସର୍ବାଧିକ 5ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ସେହିପରି ସାକିବ ମହମୁଦ 2ଟି, ଆଦିଲ ରସିଦ ଓ ଟମ କୁରେନ ଗୋଟିଏ ଲେଖାଏଁ ଓ୍ବିକେଟ ନିଜ ନାଁରେ କରିଛନ୍ତି ।
173ରନର ବିଜୟ ଲକ୍ଷ୍ୟକୁ ପିଛା କରି ଆୟୋଜକ ଟିମ ଇଂଲଣ୍ଡ 27.5ଓଭରରେ 4ଓ୍ବିକେଟ ହରାଇ 174ରନ ହାସଲ କରିଛି । ତେବେ ଦଳ ପକ୍ଷରୁ ସାମ ବିଲିଙ୍ଗସ ସର୍ବାଧିକ 67ରନ ଓ ଅଧିନାୟକ ଇଆନ ମୋର୍ଗାନ 36 ରନ ସଂଗ୍ରହ କରିଛନ୍ତି ।
ସୂଚନାଥାଉକି, ଆୟର୍ଲାଣ୍ଡ -ଇଂଲଣ୍ଡ ମଧ୍ୟରେ 3ଟିକିଆ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର 2ୟ ମ୍ୟାଚ ଅଗଷ୍ଟ 1ରେ ସାଉଥହାମ୍ପଟନର ରୋଜ୍ ବାଉଲ ଷ୍ଟାଡିୟମରେ ଖେଳାଯିବ ।