ନୂଆଦିଲ୍ଲୀ: କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର । ରାଜଧାନୀ ଦିଲ୍ଲୀରେ ଖୋଲିବ କ୍ରୀଡା ବିଶ୍ବବିଦ୍ୟାଳୟ । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି । ଦିଲ୍ଲୀ ସରକାରଙ୍କର କ୍ୟାବିନେଟରେ ଏନେଇ ସ୍ଥିର ହୋଇଛି । ଦିଲ୍ଲୀ ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନରେ ଏନେଇ ବିଦ୍ଧିବଧ ଘୋଷଣା ହେବ ।
ଉଚ୍ଚଶିକ୍ଷାରେ କ୍ରୀଡାକୁ ଏକ ସ୍ବତନ୍ତ୍ର ସ୍ଥାନ ଦିଆଯିବ । ଖେଳାଳିଙ୍କୁ ନିଜର ଦକ୍ଷତା ଅନୁଯାୟୀ ଡିଗ୍ରୀ ପ୍ରଦାନ କରାଯିବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କ୍ରୀଡା ବିଶ୍ବବିଦ୍ୟାଳୟର ଆବଶ୍ୟକତା ନେଇ ସ୍ପଷ୍ଟ କରିଛନ୍ତି । ଖେଳପ୍ରତି ରୁଚି ରଖୁଥିବା ଛାତ୍ରଛାତ୍ରୀ ଜାତୀୟ ତଥା ଅନ୍ତଜାର୍ତିୟ ସ୍ଥରରେ ଦେଶକୁ ପ୍ରତିନିଧିତ୍ବ କରିବାକୁ ଚାହାଁନ୍ତି ।
ସେଥିପାଇଁ କଠିନ ପ୍ରଶିକ୍ଷଣ ମଧ୍ୟରେ ତାଙ୍କର ଉଚ୍ଚଶିକ୍ଷା ବାଧାପ୍ରାପ୍ତ ହୁଏ । ସମୟ ଅଭାବରୁ ଅନେକ ଉଚ୍ଚଶିକ୍ଷାରୁ ବଞ୍ଚିତ ମଧ୍ୟ ହେଉଛନ୍ତି । ସେଥିପାଇଁ କ୍ରୀଡା ବିଶ୍ବବିଦ୍ୟାଳୟରେ ହକି, ଫୁଟବଲ, କ୍ରିକେଟ ଓ ଅନ୍ୟଖେଳ ଭଳି ବିଷୟ ରହିବ । ଖେଳାଳିମାନେ ସେହି ନିର୍ଦ୍ଦିଷ୍ଟ ବିଷୟରେ ଆଡମିସନ ନେବେ । ପରେ ସେମାନଙ୍କୁ ଗ୍ରାଜୁଏସନର ଡିଗ୍ରୀ ପ୍ରଦାନ କରାଯିବ ।
ତେବେ କ୍ରୀଡା ବିଶ୍ବବିଦ୍ୟାଳୟରୁ ମିଳିଥିବା ଡିଗ୍ରୀର ଅନ୍ୟରାଜ୍ୟରେ ଗ୍ରହଣୀୟତା ନେଇ ପ୍ରଶ୍ନବାଚୀ ରହିଛି । ସାମ୍ବାଦିକଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ କେଜରିୱାଲ ଏନେଇ ଅଧିକ ଆଲୋଚନା ଚାଲିଛି ବୋଲି କହିଛନ୍ତି ।