ନୂଆଦିଲ୍ଲୀ: ଇଂଲଣ୍ଡ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ରୋଲାଣ୍ଡ ବଚର ଯିଏକି ପ୍ରଥମ କୃଷ୍ଣକାୟ କ୍ରିକେଟର ଭାବରେ ଇଂଲଣ୍ଡ ଦଳର ପ୍ରତିନିଧିତ୍ବ କରିଥିଲେ ସେ କହିଛନ୍ତି ଯେ ବର୍ଷ ବର୍ଷ ଧରି ଫୁଟବଲ୍ ଜାତି ଓ ବର୍ଣ୍ଣ ଭେଦକୁ ମୁକାବିଲା କରିବା ପାଇଁ ସକ୍ରିୟ ଥିବାବେଳେ କ୍ରିକେଟ ଏଥିପାଇଁ ବହୁତ କମ କରିଛି।
ମେ ମାସରେ ଆମେରିକାର ମିନେଆପଲିସ ପୋଲିସ କର୍ମଚାରୀଙ୍କ ଦ୍ବାରା ଆଫ୍ରିକୀୟ-ଆମେରିକୀୟ ନାଗରିକ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ‘ବ୍ଲାକ୍ ଲାଇଭସ୍ ମ୍ୟାଟର୍' ଆନ୍ଦୋଳନ ସାରା ବିଶ୍ବରେ ଆରମ୍ଭ ହୋଇଛି।
ସମ୍ପ୍ରତି ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର କାର୍ଲୋସ ବ୍ରାଥୱାଇଟ୍ କହିଛନ୍ତି ଯେ ଜାତିଭେଦ ବିରୋଧରେ ଲଢ଼େଇରେ କେବଳ ଆଣ୍ଠୁ ମାଡ଼ିବା ପର୍ଯ୍ୟାପ୍ତ ନୁହେଁ କାରଣ ତାଙ୍କ ଅନୁଯାୟୀ ସମଗ୍ର ବିଶ୍ବରେ ମାନସିକତାର ପରିବର୍ତ୍ତନ ଆବଶ୍ୟକ।
ବାରବାଡୋସର ଜନ୍ମିତ ବୁଚର ଏକ ସାକ୍ଷାତକାରରେ କହିଛନ୍ତି, ‘‘ମୁଁ ନିଶ୍ଚୟ କହିବି ଫୁଟବଲ ପୂର୍ବ ଅପେକ୍ଷା ବହୁତ ଭଲ ଅଟେ। ଫୁଟବଲ ଏହାର କାର୍ଯ୍ୟକୁ ନିର୍ମଳ କରିବା ପାଇଁ ବହୁତ କିଛି କରିଛି।’’
‘‘ସେମାନେ ବହୁତ ସକ୍ରିୟ ଥିଲେ। କିନ୍ତୁ ଅନେକ ବର୍ଷ ଧରି କ୍ରିକେଟ ଏନେଇ ସକ୍ରିୟ ହୋଇନାହିଁ । ମୁଁ ଭାବୁଛି କ୍ରିକେଟ ଚୁପଚାପ ବସିଛି ଏବଂ ପ୍ରକୃତରେ କିଛି କହି ନାହିଁ। ସାଧାରଣତଃ ଫୁଟବଲରେ କ୍ରିକେଟ ଅପେକ୍ଷା ଏହାକୁ ବରଦାସ୍ତ କରାଯାଏ ନାହିଁ,’’ ବୋଲି 66 ବର୍ଷୀୟ ବଚର କହିଛନ୍ତି ଯିଏ ଇଂଲଣ୍ଡ ପାଇଁ ତିନୋଟି ଟେଷ୍ଟ ଏବଂ ତିନୋଟି ଏକଦିବସୀୟ ଖେଳିଛନ୍ତି ।
ସେ କେବେ ଜାତିଭେଦର ସମ୍ମୁଖୀନ ହୋଇଥିଲେ କି ବୋଲି ପଚରାଯାଇଥିବା ବେଳେ ପୂର୍ବତନ ମିଡଲ୍ସେକ୍ସ ବ୍ୟାଟ୍ସମ୍ୟାନ୍ କହିଛନ୍ତି, ‘‘ଲୋକମାନେ ମତେ ସିଧାସଳଖ ଦୁର୍ବ୍ୟବହାର କରିନାହାଁନ୍ତି। ମୁଁ କହୁ ନାହିଁ ଯେ କୌଣସି ଜାତିଭେଦ ନଥିଲା। ନିଶ୍ଚିତ ଭାବରେ ଲୋକମାନେ ହୁଏତ ଏପରି କଥା କହିଥିବେ ଯାହା ଆପଣ ଶୁଣି ନାହାଁନ୍ତି ।’’
‘‘ମୁଁ ଜାତିଭେଦକୁ ସାମ୍ନା କରି ନଥିଲି ଯାହା ଅନ୍ୟ କେତେକ ଲୋକ କରିଥିଲେ। ମୁଁ ଜାଣେ ଅନ୍ୟ କେତେକ ଲୋକ ପ୍ରକୃତରେ ଅତ୍ୟାଚାରର ଶୀକାର ହୋଇଥିଲେ ।’’
କ୍ରୀଡ଼ାରୁ ଜାତିଭେଦକୁ ବାହାର କରିବା ଏବଂ ଏହା କେତେ କଷ୍ଟସାଧ୍ୟ ଏହାର ଉତ୍ତରରେ ସେ କହିଛନ୍ତି, ‘‘ଏହା କଷ୍ଟସାଧ୍ୟ, କିନ୍ତୁ ମୁଁ ଯେପରି କହୁଛି ଯେ କ୍ଲବଗୁଡିକ ପ୍ରକୃତରେ ଏଜେଣ୍ଡା ସ୍ଥିର କରିପାରିବେ ଏବଂ କୌଣସି ପ୍ରକାର ଜାତିଭେଦକୁ ବରଦାସ୍ତ ନକରିବା ପାଇଁ ନୀତି ଆପଣେଇ ପାରିବେ। ସେମାନଙ୍କୁ ହିଁ ବାଟ ଦେଖାଇବାକୁ ପଡିବ।’’
@IANS