କଟକ: ଦିନକୁ ଦିନ ବଢିବାରେ ଲାଗିଛି କୋରୋନା କାୟା । ଯେଉଁଥି ପାଇଁ ପ୍ରଭାବିତ ହୋଇଛି ସବୁ କ୍ଷେତ୍ର । ତେବେ ଏହି ମହାମାରୀ ପାଇଁ କ୍ରୀଡାଜଗତ ବିଶେଷ ପ୍ରଭାବିତ ହୋଇଛି । ଆଉ ଅନ୍ଧକାର ଭିତରକୁ ଯେମିତି ଠେଲି ହୋଇଯାଉଛି ଯୁବ କ୍ରିକେଟରଙ୍କ ଭାଗ୍ୟ ।
ଭାଙ୍ଗି ଯିବ କି ସ୍ବପ୍ନ ? ଅନ୍ଧକାର ଭିତରକୁ ଠେଲି ହେଇ ଯିବ କି ଯୁବ କ୍ରିକେଟରଙ୍କ ଭାଗ୍ୟ ? ତେବେ ଏମିତି କିଛି ଅସମାହିତ ପ୍ରଶ୍ନ ଏବେ ଡାରାଉଛି ଓଡିଶାର ଯୁବ କ୍ରିକେଟରମାନଙ୍କୁ । କାରଣ କେବେ ଫେରିବ କ୍ରିକେଟ ଆଉ କେବେ ପଡିଆକୁ ଓହ୍ଲାଇବେ କ୍ରିକେଟର୍, ତାହା ତ ଆଶାଆଶାଙ୍କା ଭିତରେ ରହିଛି । ଯଦିଓ ଅନ୍ତର୍ଜାତୀୟ ସ୍ତରରେ କ୍ରିକେଟର ଆରମ୍ଭ ହେବାକୁ ଯାଉଛି ଓ ଚଳିତ ବର୍ଷ ବିସିସିଆଇ ବିତ୍ତଶାଳୀ ଲିଗ୍ ଆଇପିଏଲ ଆୟୋଜନ ନେଇ ସମ୍ଭାବନା ପ୍ରକାଶ ପାଇଛି । ମାତ୍ର ଏହି ଯୁବ କ୍ରିକେଟରମାନଙ୍କ ଭାଗ୍ୟ ଓ ଭବିଷ୍ୟତ କଥା କିଏ ଚିନ୍ତା କରୁଛି । ତୃଣମୂଳ ସ୍ତରରେ କ୍ରିକେଟ କେବେ ଆରମ୍ଭ ହେବେ, କେମିତ ଅଭ୍ୟାସ ହେବ ଓ କେମିତି ମ୍ୟାଚ ଆୟୋଜନ ହେବ । ସେ କଥା ପଚାରେ ବା କିଏ ?
ତେବେ ଆଉ କେତେଟା ଦିନ ପରେ ଆରମ୍ଭ ହୋଇଯିବ କ୍ରିକେଟ ଋତୁ । ଏତେ ବେଳକୁ ତ ସିଲେକ୍ସନ ଶେଷ ହୋଇ ଅଭ୍ୟାସ ଆରମ୍ଭ ହୋଇଯିବା କଥା । ମାତ୍ର ଏ ପର୍ଯ୍ୟନ୍ତ ବୟସ ବର୍ଗ ଖେଳଳୀଙ୍କ ସୂଚୀ ବି ପ୍ରସ୍ତୁତ କରି ନାହିଁ ଓସିଏ । ବନ୍ଦ ରହିଛି ବାରବାଟୀ ଓ ଓସିଏ କାର୍ଯ୍ୟାଳୟ । ସବୁ କିଛି ଯେମିତି ଠପ ହୋଇଯାଇଛି । ତେଣୁ କେବଳ ଭାଗ୍ୟକୁ ଆଦରି ବସିଛନ୍ତି ଏହି ଯୁବ କ୍ରିକେଟର । ସେପଟେ ଫାଙ୍କା ସମୟରେ ଏହି ଯୁବ କ୍ରିକେଟରଙ୍କୁ ବାସ୍ତବିକ ଜ୍ଞାନ ଆବଶ୍ୟକ ବୋଲି କହିଛନ୍ତି ପୂର୍ବତନ ରଣଜୀ କ୍ରିକେଟର ପବନ ଅଗ୍ରୱାଲ ।
ତେବେ ଅପେକ୍ଷା, କେବେ ହଟିବ କୋରୋନା କାଳା ଛାୟା । କେବେ ଆରମ୍ଭ ହେବ କ୍ରିକେଟ । ଆଉ ପୁଣି କେବେ ବଲ-ବ୍ୟାଟ ଧରି ପଡିଆକୁ ଓହ୍ଲାଇବେ ଯୁବ କ୍ରିକେଟର ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ