ମେଲବୋର୍ଣ୍ଣ: ଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମତି ନେଇ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନଙ୍କ ଗ୍ରିନ ସିଗନାଲ ପରେ ବଢିଲା ଟି-20 ବିଶ୍ବକପ ସମ୍ଭାବନା । 40,000 ଦର୍ଶକ କ୍ଷମତା ଥିବା ଷ୍ଟାଡିୟମରେ 10,000 ଦର୍ଶକଙ୍କୁ ଅନୁମତି ମିଳିପାରିବ ବୋଲି ମରିସନ କହିଛନ୍ତି । ଅଷ୍ଟ୍ରେଲିଆରେ କୋରୋନା ଭାଇରସ ସଂକ୍ରମଣ ସ୍ଥିତି ନିୟନ୍ତ୍ରଣାଧୀନ ହେଉଥିବାରୁ ଅନ୍ତର୍ଜାତୀୟ କ୍ରୀଡା ଇଭେଣ୍ଟ ଆୟୋଜନ ନେଇ ସମ୍ଭାବନା ସୃଷ୍ଟି ହୋଇଛି ।
ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ଆସନ୍ତା ମାସରେ ଟି-20 ବିଶ୍ବକପ ଆୟୋଜନ ନେଇ ଚୂଡାନ୍ତ ନିଷ୍ପତ୍ତି ନେବାର ଆଶା କରାଯାଉଛି । ଏହି ମେଗା ଟୁର୍ଣ୍ଣାମେଣ୍ଟରେ 16ଟି ଟିମ୍ ଅଂଶଗ୍ରହଣ କରିବେ । ମାତ୍ର ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ସନ୍ଦେହରେ ରହିଛି ।
ନ୍ୟୁଜିଲାଣ୍ଡରେ କୌଣସି କୋଭିଡ-19 ପଜିଟିଭ କେସ ନଥିବା ଘୋଷଣା ହୋଇଥିବାବେଳେ, ଅଷ୍ଟ୍ରେଲିଆ ମଧ୍ୟ କୋରୋନା ଭାଇରସ ଦ୍ବାରା କମ ପ୍ରଭାବିତ ଦେଶ ମାନଙ୍କ ମଧ୍ୟରେ ରହିଛି । ଏଯାବତ ମାତ୍ର 7000ରୁ ଅଧିକ ସଂକ୍ରମିତ କେସ ଅଷ୍ଟ୍ରେଲିଆରେ ସାମ୍ନାକୁ ଆସିଛି ।
ଅକ୍ଟୋବର 18ରୁ ନଭେମ୍ବର 15 ପର୍ଯ୍ୟନ୍ତ ଆଇସିସି ଟି-20 ବିଶ୍ବକପ ଅଷ୍ଟ୍ରେଲିଆରେ ଖେଳାଯିବା ନେଇ ସୂଚୀ ରହିଛି । ଏହାପରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଡିସେମ୍ବରରୁ 4ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ଖେଳାଯିବା ନେଇ ସୂଚୀ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ