ହାଇଦ୍ରାବାଦ: ଆଇପିଏଲ 2020 ବାତିଲ ଆଶଙ୍କା ଦେଖାଦେଇଛି । ଆଇପିଏଲର 13ତମ ସଂସ୍କରଣର ଭାଗ୍ୟ ନେଇ ବୟାନ ରଖିଛନ୍ତି ବିସିସିଆଇ ବସ ସୌରଭ ଗାଙ୍ଗୁଲି । ବର୍ତ୍ତମାନ ପରିସ୍ଥିତିରେ ଇଣ୍ଡିଆନ ପ୍ରିମିୟର ଲିଗର ଆୟୋଜନ ସମ୍ଭାବନା କ୍ଷୀଣ ବୋଲି କହିଛନ୍ତି ଗାଙ୍ଗୁଲି ।
ଗାଙ୍ଗୁଲି କହିଛନ୍ତି, "ବର୍ତ୍ତମାନ ପରିସ୍ଥିତିରେ ସ୍ପଷ୍ଟଭାବେ କୌଣସି ନିର୍ଦ୍ଦିଷ୍ଟ ନିଷ୍ପତି ନିଆଯାଇନି । ତେବେ ଏୟାରପୋର୍ଟ ବନ୍ଦ ରହିଛି, ଅଫିସ ବନ୍ଦ ରହିଛି, ଲୋକମାନେ ଘରେ ରହିଛନ୍ତି କେହି କେଉଁଆଡେ ବି ଯାତ୍ରା କରିପାରିବେନି । ଏପରି ସ୍ଥିତିରେ ଖେଳାଳି କେଉଁଠୁ ଆସିବେ ? କିପରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବେ ? ଆଇପିଏଲ ଛାଡନ୍ତୁ, ବିଶ୍ବରେ କୌଣସି କ୍ରୀଡା ଟୁର୍ଣ୍ଣାମେଣ୍ଟ ଖେଳାଯିବ ସମ୍ଭବପର ହୋଇପାରୁନି ।"
କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଦେଶରେ ଲାଗୁ ହୋଇଛି ଲକଡାଉନ । ବିସିସିଆଇ ପକ୍ଷରୁ ସମସ୍ତ ପ୍ରକାର କ୍ରିକେଟ ସ୍ଥଗିତ ରହିଛି । ମାର୍ଚ୍ଚ 29ରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ଏପ୍ରିଲ 14 ପର୍ଯ୍ୟନ୍ତ ସ୍ଥଗିତ ରହିଛି । ତେବେ ଚଳିତ ବର୍ଷ ଆଇପିଏଲର ଭାଗ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ, ବିସିସିଆଇ ସଭାପତି ଗାଙ୍ଗୁଲିଙ୍କ ବୟାନ ବାତିଲ ହେବା ସମ୍ଭାବନାକୁ ବଢାଇଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ