ମୁମ୍ବାଇ: ଆଇସିସିର ଚାରିଦିନିକିଆ ଟେଷ୍ଟ ପ୍ରସ୍ତାବକୁ ବିସିସିଆଇର ନା । 5 ଦିନ ଧରି ଖେଳାଯାଉଥିବା କ୍ରିକେଟର ଲମ୍ବା ଫର୍ମାଟ ଟେଷ୍ଟ ମ୍ୟାଚକୁ 4 ଦିନ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି ପ୍ରସ୍ତାବ ପ୍ରଥମେ କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟନିବାହୀ କେଭିନ ରୋବର୍ଟସ ଆଣିଥିଲେ । ଏହାକୁ ଗୁରୁତ୍ବର ସହ ବିଚାର କରିଯିବା ଉଚିତ ବୋଲି ସେ କହିଥିଲେ ।
ତେବେ କ୍ୟାପଟେନ ବିରାଟ କୋହଲିଙ୍କ ସମେତ ଏକାଧିକ ଭାରତୀୟ କ୍ରିକେଟର ଏହାକୁ ବିରୋଧ କରିଛନ୍ତି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏହି ପ୍ରସ୍ତାକୁ ଅସ୍ବୀକାର କରିଛନ୍ତି । ଏନେଇ ବିସିସିଆଇ ମୁମ୍ବାଇର ଏକ ଘରୋଇ ହୋଟେଲରେ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ଇସିବି), କ୍ରିକେଟ ଅଷ୍ଟ୍ରେଲିଆ (ସିଏ), କ୍ରିକେଟ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡର ଅଧିକାରୀଙ୍କ ସହ ଆଲୋଚନା । ବୈଠକରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହ ଉପସ୍ଥିତ ରହିଥିଲେ ।
ଟେଷ୍ଟ କ୍ରିକେଟର ଗ୍ରହଣୀୟତା ନଷ୍ଟ ହେବ ବୋଲି ପାକିସ୍ତାନ କ୍ରିକେଟର ସୋଏବ ଅଖତର ମତ ରଖିଛନ୍ତି । ଏଥିସହିତ କ୍ରିକେଟର ଏହି ଲମ୍ବା ଫର୍ମାଟର ସୁନ୍ଦରତାକୁ ରକ୍ଷା କରିବାକୁ ବିସିସିଆଇକୁ ସୋଏବ କହିଥିଲେ । ଏଥିସହିତ ଏସୀୟ ଦେଶର ସମସ୍ତ କ୍ରିକେଟର ଏହି ନିଷ୍ପତ୍ତିକୁ ବିରୋଧ କରିବାକୁ ସେ ଅପିଲ କରିଥିଲେ ।