ନୂଆଦିଲ୍ଲୀ: ଦେଶରେ କେବେ ଫେରିବ କ୍ରିକେଟ ? କୋରୋନା କାଳରେ କିପରି ଖେଳାଯିବ ଘରୋଇ କ୍ରିକେଟ ? କେବେଠାରୁ ଆରମ୍ଭ ହେବ ବିସିସିଆଇର 2020-21 ଘରୋଇ ସିଜିନ ? ଏହି ସମସ୍ତ ପ୍ରଶ୍ନର ଉତ୍ତର ନେଇ ତତ୍ପର ହୋଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) । କୋରୋନା କାଳରେ କ୍ରିକେଟ ଆରମ୍ଭ ନେଇ ବୁଧବାର ସୁଦ୍ଧା ସମସ୍ତ ରାଜ୍ୟ ବୋର୍ଡଙ୍କ ମତ ଲୋଡିଛି ବିସିସିଆଇ ।
ତେବେ ଅଧିଂକାଶ ରାଜ୍ୟ ସଂଘ ଗୁଡିକ, ପ୍ରଥମେ ସୟଦ ମୁସ୍ତାକ ଅଲ୍ଲୀ ଟି-20 ଟୁର୍ଣ୍ଣାମେଣ୍ଟ ଆରମ୍ଭ ନେଇ ମତରଖିଥିବା ସୂଚନା ମିଳିଛି । ଫଳରେ ଭାରତରେ ଖୁବଶୀଘ୍ର ଘରୋଇ କ୍ରିକେଟ ଆରମ୍ଭ ନେଇ ସଙ୍କେତ ମିଳିଛି ।
ତେବେ ସବୁଠୁ ରୋଚକ କଥା ହେଉଛି, କିଛି ରାଜ୍ୟ ସଂଘ ରଣଜୀ ଟ୍ରଫି ଟି-20 ଇଭେଣ୍ଟ ସହ ରଣଜୀ ଟ୍ରଫି ଖେଳାଯିବାକୁ ନେଇ ମତ ରଖିଛନ୍ତି । ଏଥିସହ 50 ଓଭର ବିଶିଷ୍ଟ ବିଜୟ ହଜାରେ ଟ୍ରଫି ଘରୋଇ ପ୍ରତିଯୋଗୀତା ସପକ୍ଷରେ ମତ ରଖିଛନ୍ତି ।
ସୂଚନା ଅନୁଯାୟୀ, ଏକାଧିକ ରାଜ୍ୟ ସଂଘ ବିସିସିଆଇ ସମ୍ପାଦକଙ୍କୁ ଚିଠି ଲେଖି, ସିଜିନର ଆରମ୍ଭ ଟି-20 ଟୁର୍ଣ୍ଣାମେଣ୍ଟରୁ ଆରମ୍ଭ ହେବା ଆବଶ୍ୟକ ବୋଲି ପ୍ରସ୍ତାବ ଦେଇଛନ୍ତି । କୋଭିଡ କଟକଣା ସହ ଗୋଟିଏ ଟୁର୍ଣ୍ଣାମେଣ୍ଟ ଶେଷ ପରେ ସ୍ଥିତିକୁ ଦୃଷ୍ଟିରେ ରଖି, ଅନ୍ୟ ଟୁର୍ଣ୍ଣାମେଣ୍ଟ ନେଇ ସୂଚୀ ସ୍ଥିର ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ।
ମେଲ୍ ଯୋଗେ ରାଜ୍ୟ ସଂଘ ଗୁଡିକ ବିସିସିଆଇ ସମ୍ପାଦକଙ୍କୁ ଜଣାଇଥିବା ବିକଳ୍ପ ଟୁର୍ଣ୍ଣାମେଣ୍ଟ ଏହପରି ରହିଛି । ବିକଳ୍ପ 1- କେବଳ ରଣଜୀ ଟ୍ରଫି କିମ୍ବା ବିକଳ୍ପ 2- କେବଳ ସୟଦ ମୁସ୍ତାକ ଅଲ୍ଲୀ ଟି-20 କିମ୍ବା ବିକଳ୍ପ 3- ଉଭୟ ରଣଜୀ ଟ୍ରଫି ଓ ସୟଦ ମୁସ୍ତାକ ଅଲ୍ଲୀ ଟି-20 କିମ୍ବା ବିକଳ୍ପ 4- ଉଭୟ ସୟଦ ମୁସ୍ତାକ ଅଲ୍ଲୀ ଟି-20 ଓ ବିଜୟ ହଜାରେ ଟ୍ରଫି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ