ଖ୍ରୀଷ୍ଟଚର୍ଚ୍ଚ: ଗତ ମାର୍ଚ୍ଚ 15ରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ଘଟିଥିବା ଆକ୍ରମଣ ଘଟଣା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଥିଲା । 2ଟି ମସଜିଦରେ ଆଖିବୁଜା ଗୁଳିବର୍ଷଣ କରିଥିଲେ ଆତତାୟୀ । ଏହି ଆକ୍ରମଣ ନେଇଥିଲା 50 ଜୀବନ । ତେବେ ଏହି ଘଟଣାରୁ ଅଳ୍ପରେ ବର୍ତ୍ତିଯାଇଥିଲେ ବାଂଲାଦେଶ କ୍ରିକେଟ ଟିମ ଖେଳାଳି ।
ସେହି ସମୟରେ ବାଂଲାଦେଶ ଟିମ କ୍ରିକେଟ ସିରିଜ ଖେଳିବାକୁ ନ୍ୟୁଜିଲାଣ୍ଡ ଗସ୍ତରେ ଥିଲା । ଆକ୍ରମଣ ସମୟରେ ଦଳ ପଡିଆକୁ ପ୍ରାକ୍ଟିସ ପାଇଁ ଯାଉଥିଲା । ହେଲେ ଏହା ପୂର୍ବରୁ ନମାଜ ପାଠ ପାଇଁ ମସଜିଦରେ ଓହ୍ଲାଇଥିଲେ ଖେଳାଳି । ତେବେ ଗୁଳି ଶବ୍ଦରେ ଭିତରକୁ ଯାଇନଥିଲେ ଖେଳାଳି । ବସରୁ ଓହ୍ଲାଇ ଛିଡା ହୋଇ ରହିଥିଲେ । ହଠାତ୍ ମସଜିଦରୁ ଦୌଡି ଆସୁଥିବା ଜଣେ ମହିଳା ସେମାନଙ୍କୁ ଘଟଣା ବିଷୟରେ କହିଥିଲେ ।
ଆଉ ଏହାପରେ ଖେଳାଳି ଡରରେ ବସ ଭିତରକୁ ଯାଇ ଲୁଚି ରହିଥିଲେ । ବସରେ ତଳେ ସମସ୍ତ ଖେଳାଳି ମୁଣ୍ଡପୋତି ଶୋଇ ପଡିଥିଲେ । ପ୍ରାୟ 10 ମିନିଟ୍ ଏପରି ରହିବା ପରେ ସେମାନେ ସୁରକ୍ଷିତ ଭାବେ ହୋଟେଲ ରୁମ ଫେରିଆସିଥିଲେ । ଏହାପରେ ସେମାନେ ଯେପରି ବିନା କୌଣସି ଅସୁବିଧାରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ ତାହାର ସମ୍ପୂର୍ଣ୍ଣ ଦାୟିତ୍ବ ନେଇଥିଲେ ନ୍ୟୁଜିଲାଣ୍ଡ ସରକାର । ନିକଟରେ ଏହି ଘଟଣା ବିଷୟରେ ବର୍ଣ୍ଣନା କରିଛନ୍ତି ଟିମ ମ୍ୟାନେଜର ଖଲିଦ ମସୁଦ ।
ସେ କହିଛନ୍ତି ଯେ ଏହି ଘଟଣା କୌଣସି ଫିଲ୍ମ ଠାରୁ କମ ନଥିଲା । ସେତେବେଳେ ସମସ୍ତେ ଏହି ଘଟଣାକୁ ନେଇ ଭୟଭୀତ ହୋଇପଡିଥିଲେ । ସେମାନଙ୍କ ଭାଗ୍ୟ ଭଲ ଥିଲା ଯେ ମସଜିଦ ଭିତରେ ଉପସ୍ଥିତ ନଥିଲେ । କିନ୍ତୁ ଗୁଳିଗୋଳା ଶବ୍ଦ ଓ ଲୋକଙ୍କ ଦୌଡାଦୌଡି ଦେଖି ସେମାନେ ଆତଙ୍କିତ ହୋଇଯାଇଥିଲେ । ରକ୍ତରେ ଭିଜି ଯାଇଥିବା ଲୋକେ ମସଜିଦ ବାହାରକୁ ଆସୁଥିଲେ । ଅନେକ ଚିତ୍କାର ଶୁଭୁଥିଲା । ପୁରା ଘଟଣା ଫିଲ୍ମ ଭଳି ଲାଗିଥିଲା ବୋଲି ସେ କହିଛନ୍ତି ।
ତେବେ ଏହି ଘଟଣା ପରେ ନ୍ୟୁଜିଲାଣ୍ଡ-ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା 3ୟ ଟେଷ୍ଟ ମ୍ୟାଚ ବାତିଲ କରାଯାଇଥିଲା । 2 ଦିନ ମଧ୍ୟରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା ।