କାନନେରା: ବୁଧବାର ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ତଥା ଦିନିକିଆ ସିରିଜର ଶେଷ ମ୍ୟାଚ । ପ୍ରଥମ ଦୁଇଟି ମ୍ୟାଚରେ ବିଜୟୀ ହୋଇ 3ଟିକିଆ ଦିନିକିଆ ସିରିଜରେ 0-2ରେ ଆଗୁଆ ରହିଛି ଘରୋଇ ଦଳ । ଫଳରେ ଶେଷ ମ୍ୟାଚକୁ ଜିତି ସିରିଜ କ୍ଳିନସୁଇପ କରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ । ଅନ୍ଯପଟେ 20 ବର୍ଷରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଥର ସିରିଜ କ୍ଳିନ ସୁଇପ ଏଡାଇବା ଲକ୍ଷ୍ୟରେ ଖେଳିବ ଭାରତ ।
![AUS vs IND: Team India aim to avoid first 'whitewash' vs Australia in 20 years](https://etvbharatimages.akamaized.net/etvbharat/prod-images/9731387_shami.jpg)
କାନବେରାରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆରେ ଘରୋଇ ଅଷ୍ଟ୍ରେଲିଆ ବିଜୟୀ ହେଲେ 3-0ରେ ସିରିଜ ମୂଳପୋଛ କରିବ । ନ୍ୟୁଜିଲାଣ୍ଡ ଠାରୁ ଚଳିତ ବର୍ଷ ଆରମ୍ଭରେ ଭାରତକୁ ଅନୁରୂପ ଭାବେ ପରାଜୟ ମିଳିଥିଲା ।
![AUS vs IND: Team India aim to avoid first 'whitewash' vs Australia in 20 years](https://etvbharatimages.akamaized.net/etvbharat/prod-images/9731387_kohli.jpg)
20 ବର୍ଷରେ ପ୍ରଥମ ଥର ଅଷ୍ଟ୍ରେଲିଆକୁ ସିରିଜ ମୂଳପୋଛରୁ ରୋକିବା ନେଇ ପ୍ରଶ୍ନରେ ତୃତୀୟ ମ୍ୟାଚରେ ବିଜୟ ପାଇଁ ସଂକଳ୍ପବଦ୍ଧ ବୋଲି କହିଛନ୍ତି ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର । ଏଥିସହ ବୋଲରଙ୍କ ସମର୍ଥନ କରିଛନ୍ତି ଆୟର ।
![AUS vs IND: Team India aim to avoid first 'whitewash' vs Australia in 20 years](https://etvbharatimages.akamaized.net/etvbharat/prod-images/9731387_ind-vs-aus.jpg)
ପ୍ରଥମ ଦୁଇଟି ମ୍ୟାଚରେ ରଜଭୋଜି ଦେଖିବାକୁ ମିଳିଛି । ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଫଳରେ ଟି-20 ସିରିଜ ପୂର୍ବରୁ ବିଜୟ ବିରାଟ ବାହିନୀର ମନବୋଳ ବୃଦ୍ଧି କରିବାରେ ସହାୟକ ହୋଇପାରେ ।
![AUS vs IND: Team India aim to avoid first 'whitewash' vs Australia in 20 years](https://etvbharatimages.akamaized.net/etvbharat/prod-images/9731387_bumrah.jpg)
ପ୍ରାୟ ସମସ୍ତ ଭାରତୀୟ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଅଭିଜ୍ଞ ମହମ୍ମଦ ସାମି ଓ ଜଶପ୍ରୀତ ବୁମରା ଆଶାନୁରୁପ ପ୍ରଦର୍ଶନ କରିପାରିନାହାନ୍ତି । ନବଦୀପ ସାଇନି 7 ଓଭରରେ 70 ରନ ବ୍ୟୟ କରିବା ପରେ ବୋଲି ପାଇଁ ସଂପୂର୍ଣ୍ଣ ଫିଟ ନଥିବା ହାର୍ଦ୍ଦିକ ପାଣ୍ଡ୍ଯା ଓ ମୟଙ୍କ ଅଗ୍ରୱାଲ ସାଇନିଙ୍କ ବାକି ସ୍ପେଲ ପୁରା କରିଥିଲେ ।
ଫଳରେ ତୃତୀୟ ଦିନିକିଆରେ ସାଇନିଙ୍କ ସ୍ଥାନରେ 27ଟି ଅନ୍ତର୍ଜାତୀୟ ମ୍ୟାଚର ଅଭିଜ୍ଞତା ଥିବା ଶାର୍ଦ୍ଦୁଳ ଠାକୁର କିମ୍ବା 'ୟର୍କର ସେନସେସନ' ବାମହାତୀ ଥଙ୍ଗାରୁସୁ ନଟରାଜନଙ୍କୁ ସ୍ଥାନ ମିଳିବାର ସମ୍ଭାବନା ରହିଛି ।
ନଟରାଜନଙ୍କୁ ଚୁଡାନ୍ତ ଏକାଦଶରେ ସ୍ଥାନ ମିଳିଲେ ଏହା ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ ହେବ । ଅନ୍ୟପଟେ ଆଗକୁ ହାଇଭୋଲଟେଜ ଟେଷ୍ଟ ସିରିଜ ଥିବାରୁ ବୁମରା କିମ୍ବା ସାମିଙ୍କୁ ବିଶ୍ରାମ ନେଇ ମଧ୍ୟ କୋହଲି ନିଷ୍ପତ୍ତି ନେଇପାରନ୍ତି ।
ଅନ୍ୟପଟେ ପ୍ରଥମ ଦୁଇଟି ଦିନିକିଆରେ ଘରୋଇ ବ୍ୟାଟ୍ସମ୍ୟାନ ଭାରତୀୟ ବୋଲିଂ ଲାଇନଅପକୁ ଧ୍ବସ୍ତ କରିବା ସହ ବଡ ସ୍କୋର କରିବାରେ ସମର୍ଥ ହୋଇଛନ୍ତି । ଷ୍ଟିଭ ସ୍ମିଥ 62 ବଲରୁ କ୍ରମାଗତ ଦୁଇଟି ଶତକ ହାସଲ କରିଛନ୍ତି । ଶେଷ ଭାଗରେ ଗ୍ଳେନ ମାକ୍ସୱେଲଙ୍କ ବିସ୍ପୋରକ ବ୍ୟାଟିଂ ମଧ୍ୟ ଭାରତୀୟ ବୋଲରଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।
ପ୍ରମୁଖ ବୋଲର ଜଶପ୍ରୀତ ବୁମରାଙ୍କୁ ଓପନିଂ ସ୍ପେଲରେ ମାତ୍ର ଦୁଇ ଓଭର ବୋଲିଂ କରାଇବା ନେଇ ମଧ୍ୟ, କୋହଲିଙ୍କ ଅଧିନାୟକତ୍ବ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଖେଳାଳି ଗୌତମ ଗମ୍ଭୀର ଓ ଆଶିଷ ନେହେରା ।
ପ୍ରଥମ ଦୁଇଟି ମ୍ୟାଚରେ 19 ଓଭର ବୋଲିଂ କରି 160 ରନ ବ୍ୟୟ କରିବା ସହ ସର୍ବାଧିକ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ୟୁଜଭେନ୍ଦ୍ର ଚହଲ । ମାତ୍ର ଗୋଟିଏ ୱିକେଟ ହାସଲ କରିଛନ୍ତି ।
ଅନ୍ୟପଟେ ରବିନ୍ଦ୍ର ଜାଡେଜା 6.15 ଇକୋନୋମି ହାରରେ ଅପେକ୍ଷାକୃତ ପ୍ରଭାବୀ ରହିଛନ୍ତି । ତେବେ ଉଭୟ ମ୍ୟାଚରେ ୱିକେଟ ଶୂନ୍ୟ ରହିଛନ୍ତି ଜାଡେଜା ।
ସ୍କ୍ବାଡ
ଭାରତ: ବିରାଟ କୋହଲି(କ୍ୟାପଟେନ), ଶିଖର ଦାୱନ, ଶୁଭମନ ଗିଲ, କେଏଲ ରାହୁଲ(ଭାଇସ କ୍ୟାପଟେନ / ୱିକେଟ କିପର), ଶ୍ରେୟସ ଆୟର, ମନିଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ, ରବିନ୍ଦ୍ର ଜାଡେଜା, ୟୁଜଭେନ୍ଦ୍ର ଚହଲ, କଲଦୀପ ଯାଦବ, ଜଶପ୍ରୀତ ବୁମରା, ମହମ୍ମଦ ସାମି, ନବଦୀପ ସାଇନି, ଶାର୍ଦ୍ଦୁଳ ଠାକୁର, ଟି. ନଟରାଜନ ।
ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ(କ୍ୟାପଟେନ), ଡି'ଆର୍କି ସର୍ଟ, ଷ୍ଟିଭ ସ୍ମିଥ, ମାର୍ନସ ଲାବୁସନ, ଗ୍ଳେନ ମାକ୍ସୱେଲ, ଆଲେକ୍ସ କ୍ୟାରୀ(ୱିକେଟ କିପର), ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ଜସ ହେଜେଲଉଡ, ସିନ ଆବଟ୍ଟ, ଆଷ୍ଟନ ଅଗର, କେମରନ ଗ୍ରୀନ, ମୋଇସେସ ହେନେରିକ୍ସ, ଆଣ୍ଡ୍ରିୟୁ ଟାଇ, ଡାନିଏଲ ସାମ୍ସ, ମାଥ୍ୟୁ ୱେଡ(ୱିକେଟ କିପର) ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ