କୋଲକାତା: ଏସିଆ କପ 2020 ଉପରୁ ଉଠିଲା ପରଦା । ପାକିସ୍ତାନରେ ନୁହେଁ ଦୁବାଇରେ ଖେଳାଯିବ ଏସିଆ କପ 2020 । ପୂର୍ବରୁ ପାକିସ୍ତାନରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବା ନେଇ ବିବାଦ ଦେଖାଦେଇଥିଲା ।
ମାର୍ଚ୍ଚ 3ରେ ଦୁବାଇରେ ଏସିଆନ କ୍ରିକେଟ କାଉନସିଲ(ACC)ର ବୈଠକ ହେବ । ତେବେ ଏହି ବୈଠକ ପୂର୍ବରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏସିଆ କପ ଦୁବାଇରେ ହେବ ବୋଲି ସ୍ପଷ୍ଟ କରିଛନ୍ତି । ଏଥିସହିତ ଉଭୟ ଭାରତ ଓ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବେ ବୋଲି କହିଛନ୍ତି ।
ଏସିଆ କପ 2020ର ଆୟୋଜକ ଦେଶ ରହିଛି ପାକିସ୍ତାନ । ତେବେ ପାକିସ୍ତାନରେ ଭାରତ ଏହି ଟୁର୍ଣ୍ଣାମେଣ୍ଟ ଖେଳିବ ନାହିଁ ବୋଲି ବିସିସିଆଇ ପୂର୍ବରୁ ସ୍ପଷ୍ଟ କରିଛି । ଏହାପରେ ଏସିଆ ମହାଦେଶର ଅନ୍ୟ କ୍ରିକେଟ ବୋର୍ଡ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ବିନା ଭାରତୀୟ ଦଳରେ ଏହି ଟୁର୍ଣ୍ଣାମେଣ୍ଟ ବିଶେଷତ୍ବ ହରାଇବ ବୋଲି ବାଂଲାଦେଶ କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଥିଲା । ଏଥିସହିତ ଏହି ଟୁର୍ଣ୍ଣାମେଣ୍ଟ ନିରପେକ୍ଷ ଭେନ୍ୟୁରେ ଆୟୋଜନ କରିବାକୁ ବିସିବି ପ୍ରସ୍ତାବ ଦେଇଥିଲା । ମାତ୍ର ଏସିଆ କପ ଆୟୋଜକ ଅଧିକାର ହରାଇବ ନାହିଁ ବୋଲି ପାକିସ୍ତାନ ବୋର୍ଡ ଜିଦ ଧରିଥିଲା ।