ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି ଯେ, ଅଧିନାୟକତ୍ବରେ ଉଭୟ ଏମଏସ ଧୋନି ଓ ସୌରଭ ଗାଙ୍ଗୁଲିଙ୍କ ଠାରୁ ଅନିଲ କୁମ୍ବଲେ ଶ୍ରେଷ୍ଠ । ଗମ୍ଭୀର କହିଛନ୍ତି ଯେ ଧୋନି ଓ ଗାଙ୍ଗୁଲିଙ୍କ ପାଇଁ ତାଙ୍କର ଖୁବ ସମ୍ମାନ ରହିଛି କିନ୍ତୁ ଯଦି କୁମ୍ବଲେ ଅଧିକ ସମୟ ପାଇଁ ଅଧିନାୟକ ରହିଥାନ୍ତେ ତେବେ ଭଲ ହୋଇଥାନ୍ତା ।
‘‘ରେକର୍ଡ ଦେଖିଲେ ଅବଶ୍ୟ ଏମଏସ ଧୋନି ଶ୍ରେଷ୍ଠ ଅଧିନାୟକ । ସେ ସମସ୍ତ ଆଇସିସି ଟ୍ରଫି ଜିତାଇଛନ୍ତି । ସେ ଖୁବ ଭଲ ପ୍ରଦର୍ଶନ କରିଛନ୍ତି, ସେ ଦୀର୍ଘ ସମୟ ଧରି ଅନେକ କଠିନ ପରିସ୍ଥିତିକୁ ସମ୍ଭାଳିଛନ୍ତି । ସୌରଭ ଗାଙ୍ଗୁଲି ମଧ୍ୟ ଖୁବ ଭଲ ପ୍ରଦର୍ଶନ କରିଛନ୍ତି । କିନ୍ତୁ ଜଣେ ଅଧିନାୟକ ଯାହାଙ୍କୁ ମୁଁ ଅଧିନାୟକ ଭାବେ ବେଶ ପସନ୍ଦ କରେ ସେ ହେଉଛନ୍ତି ଅନିଲ କୁମ୍ବଲେ । ମୁଁ ତାଙ୍କ ଅଧିନରେ 6ଟି ଟେଷ୍ଟ ମ୍ୟାଚ ଖେଳିଛି । ସେ ଅଧିକ ସମୟର ଧରି ଅଧିନାୟକ ରହିଥିଲେ ନିଶ୍ଚୟ ଅନେକ ରେକର୍ଡ ଭାଙ୍ଗି ଦେଇଥାନ୍ତେ,’’ ବୋଲି କହିଛନ୍ତି ଗମ୍ଭୀର ।
2007ରେ ଦ୍ରାବିଡଙ୍କ ଠାରୁ କୁମ୍ବଲେ ଅଧିନାୟକ ଭାର ଗ୍ରହଣ କରିଥିଲେ । 14ଟି ଟେଷ୍ଟରେ ସେ ଅଧିନାୟକ ହୋଇଥିଲେ । ଯେଉଁଥିରୁ ତିନୋଟିରେ ବିଜୟ, 6ଟି ପରାଜୟ ଓ 5ଟି ଅମିମାଂଶିତ ରହିଥିଲା ।
ତେବେ କୁମ୍ବଲେ ଗୋଟିଏ ବର୍ଷରୁ ବି କମ ସମୟ ଅଧିନାୟକତ୍ବ କରିଥିଲେ କାରଣ ସେ 2008ରେ କ୍ରିକେଟରୁ ଅବସର ନେଇଥିଲେ । ଯାହାପରେ ଧୋନି କ୍ରିକେଟର ତିନୋଟି ଫର୍ମାଟର ଅଧିନାୟକ ହୋଇଥିଲେ ।