ଡେରାଡୁନ: ପୁଣି ଚମକିଲେ ସ୍ପିନର ରସିଦ ଖାନ । ନିଜ ଯାଦୁକାରୀ ବୋଲିଂରେ ରଚିଛନ୍ତି ଇତିହାସ । ତାଙ୍କର ଚତ୍ମକାର ବୋଲିଂ ଆଗରେ ମୁଣ୍ଡ ନୁଆଁଇଛନ୍ତି ଆୟର୍ଲାଣ୍ଡ ବ୍ୟାଟ୍ସମ୍ୟାନ । ଫଳରେ ଲଗାତାର ତୃତୀୟ ମ୍ୟାଚ ଜିତି ସିରିଜ କବଜା କରିଛି ଆଫଗାନିସ୍ତାନ ।
ରସିଦ ଖାନ ଆୟର୍ଲାଣ୍ଡ ଇଂନିସରେ ଲଗାତାର 4ଟି ବଲରେ 4ଟି ୱିକେଟ ନେଇଥିଲେ । ଏପରି କରିବାରେ ଏହି ଫର୍ମାଟରେ ସେ ପ୍ରଥମ ବୋଲର । ତାଙ୍କର ଏହି ରେକର୍ଡ ବଳରେ ଆଫଗାନିସ୍ତାନ ଏଠାରେ ଚାଲିଥିବା 3ୟ ମ୍ୟାଚକୁ 32 ରନରେ ଜିତି 3ଟିକିଆ ସିରିଜକୁ 3-0ରେ ପୋଛି ନେଇଛି । ପୂର୍ବରୁ ପ୍ରଥମ 2ଟି ମ୍ୟାଚରେ ଆୟର୍ଲାଣ୍ଡକୁ ହରାଇ ସିରିଜ ବିଜୟୀ ହୋଇଥିଲା ଆଫଗାନ ଟିମ ।
ପ୍ରଥମେ ବ୍ୟାଟିଂ କରି ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଆଫଗାନିସ୍ତାନ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ ହରାଇ 210 ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ମହମ୍ମଦ ନବି 36 ବଲରୁ 7ଟି ଚୌକା ଏବଂ 7ଟି ଛକା ସହ 81 ରନ କରିଥିଲେ । ତାଙ୍କ ଛଡା ହଜରାତୁଲ୍ଲା ଜାଜାଇ 17 ବଲରୁ 31 ରନ କରିଥିଲେ । ଜବାବରେ ଆୟର୍ଲାଣ୍ଡ 20 ଓଭରରେ 8 ୱିକେଟରେ 178 ରନ କରିପାରିଥିଲା ।
ଦଳ ପକ୍ଷରୁ କେଭିନ ଓ ବ୍ରାଇନ ସର୍ବାଧିକ 47 ବଲରେ 74 ରନ ସଂଗ୍ରହ କରିଥିଲେ । ତାଙ୍କ ଛଡା ଆଣ୍ଡି ବଲବିରନିଇ 47 ରନ କରିଥିଲେ । ରସିଦଙ୍କ ଛଡା ନବି ମଧ୍ୟ କଞ୍ଜୁସି ବୋଲିଂ କରି ଆୟର୍ଲାଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିଥିଲେ । ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ନବି ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ହୋଇଥିଲେ ।