ନୂଆଦିଲ୍ଲୀ: 37 ବର୍ଷରେ ପାଦ ଦେଲେ ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର ଏବି ଡିଭିଲିୟର୍ସ । ଅଡ଼ୁଆ ସଟ ଖେଳିବା ଯୋଗୁଁ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଏଥିପାଇଁ ସେ 'ମିଷ୍ଟର 360 ଡିଗ୍ରୀ' ନାମରେ ମଧ୍ୟ ପରିଚିତ । ଏହି ମହାନ କ୍ରିକେଟରଙ୍କ ନାମରେ ଦ୍ରୁତତମ ଶତକ ଓ ଦ୍ରୁତତମ ଅର୍ଦ୍ଧ ଶତକ କରିବା ରେକର୍ଡ ରହିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦୁଇଟି ରେକର୍ଡ ସେ ଗୋଟିଏ ମ୍ୟାଚରେ ହାସଲ କରିଥିଲେ ।
2015 ମସିହା ଜାନୁଆରୀ 18 ତାରିଖରେ ସେ ଏହି ଉପଲବ୍ଧି ହାସଲ କରିଥିଲେ । ଘରୋଇ ପଡ଼ିଆ ଜୋହାନ୍ସବର୍ଗରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ କେବଳ 31ଟି ବଲରେ ଶତକ ହାସଲ କରିଥିଲେ। ଏହି ଇନିଂସରେ ସେ 9ଟି ଚୌକା ମାରିଥିବାବେଳେ 16ଟି ଛକା ମାରିଥିଲେ। ମୋଟ 44ଟି ବଲରୁ ସେ 144 ରନ କରିଥିଲେ। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା 439ରନ କରିଥିଲା।
ଏହାପୂର୍ବରୁ ନ୍ୟୁଜିଲାଣ୍ଡର କୋରି ଆଣ୍ଡରସନ 36ଟି ବଲରେ ଦ୍ରୁତ ଶତକ ହାସଲ କରିଥିଲେ। ଏହାପରେ ଡିଭିଲିୟର୍ସ ଦ୍ରୁତତମ 150 କରିବା ରେକର୍ଡ ମଧ୍ୟ ହାସଲ କରିଥିଲେ। 2015 ମସିହାରେ ୱେଷ୍ଟିଣ୍ଡିଜ ବିପକ୍ଷରେ ଖେଳିବା ବେଳେ ମାତ୍ର 64ଟି ବଲରେ 150 ରନ କରିଥିଲେ।
ଏହି 37 ବର୍ଷିୟ କ୍ରିକେଟର 2018 ମସିହା ମେ 23 ତାରିଖରେ ସମସ୍ତ ଫର୍ମାଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ତେବେ ସେ ପୁନଃ 2019 ମସିହା ବିଶ୍ବକପରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଖେଳିବାକୁ ଇଚ୍ଛା ଜାହିର କରିଥିଲେ। କ୍ରିକେଟ ସାଉଥ ଆଫ୍ରିକା ସହ ଡିଭିଲିୟଲର୍ସଙ୍କ ଚୁକ୍ତି ହୋଇ ପାରିନଥିଲା । ସେ 114ଟି ଟେଷ୍ଟ ମ୍ୟାଚ ଖେଳିଥିବାବେଳେ 228 ଦିନିକିଆ ମ୍ୟାଚ ଖେଳିଛନ୍ତି। ସେହିଭଳି ସେ 78ଟି ଟି-20 ମ୍ୟାଚ ଖେଳିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ