ନୂଆଦିଲ୍ଲୀ : କିମ୍ବଦନ୍ତୀ କ୍ରିକେଟର ସେନ ୱାର୍ଣ୍ଣ ଅନେକ ବାର ନିଜ ଦେଶ ଅଷ୍ଟ୍ରେଲିଆରୁ ବିଦେଶକୁ ଯାତ୍ରା କରିଥିବେ ଓ ପରେ ଫେରିଥିବେ । ମାତ୍ର ଗୁରୁବାର ମହାନ କ୍ରିକେଟର ୱାର୍ଣ୍ଣ ଶେଷ ଥର ପାଇଁ ନିଜ ଦେଶ ଅଭିମୁଖେ ଶେଷ ଯାତ୍ରା ଆରମ୍ଭ କରିସାରିଛନ୍ତି । ଅଷ୍ଟ୍ରେଲିଆର ଜାତୀୟ ପତାକା ଘୋଡାଇହୋଇ ୱାର୍ଣ୍ଣ ନିଜ ଜନ୍ମସହର ମେଲବର୍ଣ୍ଣ ଅଭିମୁଖେ ଉଡାଣ ଭରିସାରିଛନ୍ତି । ତେବେ ୱାର୍ଣ୍ଣଙ୍କ ସ୍ବଦେଶ ଫେରିବାର ସବୁଯାତ୍ରା ଠାରୁ ଏଥର ସଂପୂର୍ଣ୍ଣ ନିଆରା, କାରଣ ନିଜ ଦେଶକୁ ଫେରୁଛି ତାଙ୍କର ପାର୍ଥୀବ ଶରୀର ।
ଗୁରୁବାର ଥାଇ ପୋଲିସ ଫୋରେନ୍ସିକ୍ ଇନଷ୍ଟିଚ୍ୟୁଟ୍ରୁ ଏକ ଆମ୍ବୁଲାନ୍ସ ଯୋଗେଁ ମହାନ କ୍ରିକେଟରଙ୍କ ପାର୍ଥୀବ ଶରୀର ଅନ୍ତର୍ଜାତୀୟ ବିମାନବନ୍ଦର ନିଆଯାଇଥିବା ସୂଚନା ରହିଛି । ୱାର୍ଣ୍ଣଙ୍କ କଫିନ ଉପରେ ଅଷ୍ଟ୍ରେଲିଆର ଜାତୀୟ ପତାକା ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୱାର୍ଣ୍ଣରଙ୍କ ଶରୀରକୁ ଏକ ଘରୋଇ ବିମାନ ଯୋଗେଁ ତାଙ୍କର ଜନ୍ମସହର ଅଷ୍ଟ୍ରେଲିଆର ମେଲବର୍ଣ୍ଣକୁ ଅଣାଯାଉଛି।
କ୍ରିକେଟ ଇତିହାସରେ ଅନ୍ୟତମ ସର୍ବକାକାଳୀନ ଶ୍ରେଷ୍ଠ ବୋଲର ୱାର୍ଣ୍ଣ ଗତ ଶୁକ୍ରବାର ଦକ୍ଷିଣ ଥାଇଲାଣ୍ଡ ଅଞ୍ଚଳରେ ବନ୍ଧୁ ମାନଙ୍କ ସହ ଛୁଟି ବିତାଉଥିବାବେଳେ ମୃତ୍ୟୁ ହୋଇଥିଲା । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ, 52 ବର୍ଷୀୟ ୱାର୍ଣ୍ଣଙ୍କ ମୃତ୍ୟୁର କାରଣ ହୃଦଘାତ୍ କାରଣରୁ ହୋଇଥିଲା ।
ଭିକ୍ଟୋରିଆ ସରକାର ମାର୍ଚ୍ଚ 30ରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନରେ ୱାର୍ଣ୍ଣଙ୍କ ଅନ୍ତିମ ସଂସ୍କାର କରିବାକୁ ଯୋଜନା କରିଛି । ୱାର୍ଣ୍ଣଙ୍କ ପରିବାର ସଦସ୍ୟ, ବନ୍ଧୁ ଓ ସଂପର୍କୀୟଙ୍କ ପାଇଁ ଶେଷଦର୍ଶନ କାର୍ଯ୍ୟକ୍ରମ ମଧ୍ୟ ରହିଛି ।