ହାଇଦ୍ରାବାଦ: ପାଟ୍ କୁମିନ୍ସଙ୍କ ପରେ ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ବ୍ରେଟ ଲି ମଙ୍ଗଳବାର ମହାମାରୀ କୋରୋନା ବିରୁଦ୍ଧରେ ଲଢେଇ ପାଇଁ ଭାରତକୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ।
ଭାରତରେ ଥିବା ହସ୍ପିଟାଲ ଗୁଡିକରେ ଅକ୍ସିଜେନ କିଣିବାକୁ କ୍ରିପ୍ଟୋ ରିଲିଫକୁ 1 ବିଟ୍ କଏନ ଦାନ କରିଛନ୍ତି ଲି ।
ବ୍ରେଟ୍ ଲି କହିଛନ୍ତି, "ଭାରତ ମୋ ପାଇଁ ସର୍ବଦା ଦ୍ବିତୀୟ ଘର ପରି । ନିଜ ପେଷାଦାର କ୍ରିକେଟ କ୍ୟାରିୟର ସମୟରେ ଓ ଅବସର ପରେ ମଧ୍ୟ ଭାରତୀୟ ଲୋକଙ୍କଠାରୁ ମିଳିଥିବା ସ୍ନେହ ଓ ଭଲପାଇବା ହୃଦୟରେ ସ୍ବତନ୍ତ୍ର ସ୍ଥାନରେ ରହିଛି । ମହାମାରୀରେ ଲୋକମାନେ ସଂକ୍ରମିତ ହୋଇ ପ୍ରାଣ ହରାଉଥିବା ଦେଖି ଗଭୀର ଭାବେ ମର୍ମାହତ । ଏହା ପ୍ରକୃତ ସମୟ ଭଲପାଇବାର ଋଣ ଶୁଝିବାର । ସେଥିପାଇଁ ଭାରତରେ ଥିବା ହସ୍ପିଟାଲରେ ଅକ୍ସିଜେନ ବିତରଣ ପାଇଁ 1 ବିଟ କଏନ ଦାନ କରିଛି ।"
ଏହା ଯଥା ସମ୍ଭବ ଲୋକଙ୍କୁ ସହାୟତା ସହ ଏକତ୍ର ହୋଇ ମୁକାବିଲା କରିବାର ସମୟ । ନିଜ ଜୀବନଙ୍କୁ ବାଜି ଲଗାଇ କୋଭିଡ ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇବାରେ ଲାଗିଥିବା ସମସ୍ତ ସମ୍ମୁଖ ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇଛନ୍ତି ଭେଟେରାନ ଅଷ୍ଟ୍ରେଲୀୟ ବୋଲର ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ 24 ଘଣ୍ଟାରେ ଭାରତରେ 3,23,144 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ 2,777 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଗତ 24 ଘଣ୍ଟା ମଧ୍ୟରେ 251, 827 ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ