ନୂଆଦିଲ୍ଲୀ: ଦୀର୍ଘଦିନରୁ ଭାରତୀୟ କ୍ରିକେଟ୍ ଦଳରୁ ଦୂରରେ ରହିଛନ୍ତି ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମ୍ରା । ତାଙ୍କ ଅନୁପସ୍ଥିତି ଦଳ ଅନେକ ବଡ଼ ବଡ଼ ଇଭେଣ୍ଟରେ ଅନୁଭବ କରିଛି । ତେବେ ଦଳ ବୁମ୍ରାଙ୍କ ଅନୁପସ୍ଥିତି କେତେ ଅନୁଭବ କରୁଛି, ସେନେଇ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ଦଳର ବୋଲିଂ କୋଚ୍ ପାରସ ମହାମ୍ବ୍ରେ । ଆହତ ଜନିତ ସମସ୍ୟା କାରଣରୁ ବୁମ୍ରା ଗତ ବର୍ଷ ଟି୨୦ ବିଶ୍ଵକପ୍ ୨୦୨୨ ସହିତ ବିଶ୍ଵ ଟେଷ୍ଟ୍ ଚମ୍ପିଆନ୍ସିପ୍ ମଧ୍ୟ ଖେଳି ପାରିନାହାନ୍ତି । ହେଲେ ବିଶ୍ଵକପ୍ ୨୦୨୩ ପୂର୍ବରୁ ବୁମ୍ରା ଦଳକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଛି ।
ଭାରତୀୟ ବୋଲିଂ କୋଚ୍ ପାରସ ମହାମ୍ବ୍ରେ କହିଛନ୍ତି, "ଗତ ଦେଢ଼ ବର୍ଷରେ ଭାରତୀୟ ଦଳର ଖେଳକୁ ଦେଖିବାକୁ ଗଲେ ଆମେ ସବୁଠୁ ଅଧିକ ଯଶପ୍ରୀତ ବୁମରାଙ୍କୁ ମିସ୍ କରିଛୁ । ଏହା ଉପରେ ଏପର୍ଯ୍ୟନ୍ତ କୌଣସି ଆଲୋଚନା ହୋଇ ନାହିଁ ଯେ, କିଏ ଧଳା ବଲ୍ ବା କିଏ ରେଡ୍ ବଲ୍ କ୍ରିକେଟ୍ ଖେଳିବେ । କିନ୍ତୁ ଆଗାମୀ ସମୟରେ ଆମକୁ ପ୍ରତ୍ୟେକ ବୋଲରଙ୍କୁ ରେଷ୍ଟ୍ ଦେବାକୁ ପଡ଼ିବ । ଯେମିତି ଆମେ ଜଣେ ବୋଲରଙ୍କୁ ବିରତି ଦେବୁ, ଅନ୍ୟ ବୋଲରଙ୍କୁ ଦଳରେ ସାମିଲ୍ କରିବୁ । ଏମିତି ହେଲେ ଦଳର ବେଞ୍ଚ ଷ୍ଟ୍ରେନ୍ଥ୍ ବଢିବ । ପଶ୍ଚିମବଙ୍ଗର ଦ୍ରୁତ ବୋଲର ମୁକେଶ କୁମାରଙ୍କୁ ଟେଷ୍ଟରେ ଷ୍ଟାଣ୍ଡବାଇ ଭାବେ ଦଳରେ ଚୟନ କରାଯାଇଛି । କିନ୍ତୁ ମହମ୍ମଦ ସିରାଜ, ମହମ୍ମଦ ସାମି ଏବଂ ଯଶପ୍ରୀତ ବୁମରା ଫିଟ୍ ହେଲେ ଦଳ ପାଇଁ ପ୍ରଥମ ପସନ୍ଦ ରହିବେ ।" ତେବେ ମୁକେଶଙ୍କ ଜରିଆରେ ଭାରତର ଦ୍ରୁତ ବୋଲିଂ ଆକ୍ରମଣ ଆହୁରି ମଜବୁତ ହୋଇପାରିବ ବୋଲି ମହାମ୍ବ୍ରେ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: ଖେଳି ପାରିବେନି ଆୟର ! ଦଳକୁ ଫେରିପାରନ୍ତି ବୁମ୍ରା
ବୋଲିଂ କୋଚ୍ ମହାମ୍ବ୍ରେ କହିଛନ୍ତି, "ଆମ ପାଖରେ ଏବେ ସିରାଜ ଅଛନ୍ତି, ଯିଏ ଦମଦାର ଫର୍ମରେ ଅଛନ୍ତି । ଆମ ପାଖରେ ମହମ୍ମଦ ସାମି ଏବଂ ବୁମରାଙ୍କ ପରି ବୋଲର ଅଛନ୍ତି, ଯାହାଙ୍କୁ ନେଇ ଆଉ ଏକ ବେଞ୍ଚ ସୁଦୃଢ଼ କରିବାର ଆବଶ୍ୟକତା ରହିଛି । ବର୍ତ୍ତମାନ ମୁକେଶଙ୍କୁ ଦଳରେ ଥିବା ବରିଷ୍ଠ ଖେଳାଳୀଙ୍କ ସହ ଆଲୋଚନା କରିବାର ଭଲ ସୁଯୋଗ ରହିଛି । ତାଙ୍କ ସହିତ ଆଲୋଚନା କରିବା ପାଇଁ ଦଳରେ ଅନେକ ବରିଷ୍ଠ ବୋଲର ରହିଛନ୍ତି ।" ଏହା ମୁକେଶଙ୍କୁ ଫାଇଦା ହେବ ବୋଲିଂ କୋଚ୍ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ