ବର୍ମିଂଘାମ: ଜୁଲାଇ ୩୧(୨୦୨୨)ରେ ପୁଣି କ୍ରିକେଟ ମୈଦାନରେ ହେବ ଭାରତ-ପାକିସ୍ତାନ ଟକ୍କର । ଏଥର ପୁରୁଷ ଟିମ ନୁହଁନ୍ତି ସାମ୍ନାସାମ୍ନି ହେବେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ଓ ଭାରତୀୟ ମହିଳା ଟିମ । କ୍ରିକେଟ ମ୍ୟାଚ୍ରେ ବିଜୟୀ ହେଲେ କପ୍ ନୁହେଁ ମିଳିବ ଗୋଲ୍ଡ, ସିଲଭର ଓ ବ୍ରୋଞ୍ଜ ମେଡାଲ ।
UKର ବର୍ମିଂଘାମରେ ଆୟୋଜିତ ହେବାକୁଥିବା କମନୱେଲ୍ଥ ଗେମ୍ସ ୨୦୨୨(ରାଜ୍ୟଗୋଷ୍ଠୀ କ୍ରୀଡା)ରେ ପ୍ରଥମ ଥର ଟି-୨୦ କ୍ରିକେଟ ସାମିଲ ହୋଇଛି । ବିଶ୍ବର ୮ଟି ପ୍ରମୁଖ ଦେଶର ମହିଳା କ୍ରିକେଟ ଟିମ ମଧ୍ୟରେ ଗୋଲ୍ଡ ମେଡାଲ ପାଇଁ ଲଢେଇ ହେବ ।
ଏଜବାଷ୍ଟନ ଷ୍ଟାଡିୟମରେ ଜୁନ ୨୯ରୁ ଏହି ମେଗା ଇଭେଣ୍ଟପର ମ୍ୟାଚ୍ ଖେଳାଯିବ । ଅଗଷ୍ଟ ୭ରେ ବ୍ରୋଞ୍ଜ୍ ଓ ଗୋଲ୍ଡ ମେଡାଲ ମ୍ୟାଚ୍ ଖେଳାଯିବ ।
ଇଂଲଣ୍ଡ କ୍ରିକେଟ ବୋର୍ଡ(ECB) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ମ୍ୟାଚ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବା ନେଇ ସୂଚୀ ରହିଛି । ୱେଷ୍ଟଇଣ୍ଡିଜର ବାର୍ବାଡୋସ ଟିମ କମନୱେଲ୍ଥ ଗେମ୍ସରେ ଅଂଶଗ୍ରହଣ କରିବ ।
ଜୁଲାଇ ୩୦ରେ ଆୟୋଜକ ଇଂଲଣ୍ଡ ପ୍ରଥମ ମ୍ୟାଚ୍ରେ ଯୋଗ୍ୟତା ଅର୍ଜନ ଟୁର୍ଣ୍ଣାମେଣ୍ଟ ଖେଳିବା ଟିମକୁ ଭେଟିବ । ଏହାପରେ ଅଗଷ୍ଟ ୨ରେ ଇଂଲଣ୍ଡର ଦ୍ବିତୀୟ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଓ ତୃତୀୟ ମ୍ୟାଚ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ଅଗଷ୍ଟ ୪ରେ ରହିଛି । ଜୁଲାଇ ୩୧ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମୁକାବିଲା ରହିଛି । ଅଗଷ୍ଟ ୩ରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ରହିଛି ।
ପ୍ରତିଯୋଗିତାରେ ମୋଟ ୮ଟି ଟିମ ଅଂଶଗ୍ରହଣ କରିବାକୁ ଥିବାବେଳେ ୭ଟି ଟିମ କ୍ରିକେଟ ଟି-୨୦ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ଜାନୁଆରୀ ୨୦୨୨ ସୁଦ୍ଧା ଶେଷ ଟିମ ଚୁଡାନ୍ତ ହେବ ।
ବର୍ମିଂଘାମ କମନୱେଲ୍ଥ ଗେମ୍ସ ୨୦୨୨ରେ ପ୍ରଥମ ଥର ପାଇଁ ଟି-୨୦ କ୍ରିକେଟକୁ ସାମିଲ କରାଯାଇଛି । ଏହିମଧ୍ୟ ପ୍ରଥମ ଥର ଯେ ମହିଳା କ୍ରିକେଟ କମନୱେଲ୍ଥ ଗେମ୍ସରେ ସାମିଲ ହୋଇଛି । ପୂର୍ବରୁ କ୍ବାଲାଲାମପୁରରେ ଅନୁଷ୍ଠିତ ହୋଇଥିବା ୧୯୯୮ ସଂସ୍କରଣର କମନୱେଲ୍ଥ ଗେମ୍ସରେ ପୁରୁଷ ୫୦ ଓଭର ବିଶିଷ୍ଟ କ୍ରିକେଟକୁ ସାମିଲ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ