ଅନୁଗୋଳ: ଜିଲ୍ଲାରେ ଆରମ୍ଭ ହୋଇଛି ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ । କ୍ରିକେଟ ଖେଳିବା ପ୍ରତି ଯୁବପିଢିଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ଲକ୍ଷ୍ୟ ନେଇ ଅନୁଗୋଳ କ୍ରିକେଟ ଆସୋସିଏସନ ପକ୍ଷରୁ ଏହି ସର୍ବଭାରତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି । ଏଥର ଅନୁଗୋଳ ଜିଲ୍ଲା କ୍ରିକେଟ ଆସୋସିଏସନର 25 ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ପାଳନ କରୁଛି । ଏନେଇ ଜିଲ୍ଲା କ୍ରିକେଟ ଆସୋସିଏସନ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ସୋଲାର କ୍ରିକେଟ କ୍ଲବ ଓ ଓଡ଼ିଆ ପୋଷ୍ଟାଲ ଏକାଦଶ ମଧ୍ୟରେ ଖେଳାଯାଇଥିଲା ।
ପୋଷ୍ଟାଲ ଏକାଦଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ ହରାଇ 137 ରନ୍ ସଂଗ୍ରହ କରିଥିଲା । ଜବାବରେ ସୋଲାର କ୍ରିକେଟ କ୍ଲବ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିବା ସହ 75 ରନ୍ରେ ଅଲ୍ ଆଉଟ ହୋଇ ଯାଇଥିଲେ । ଆଜିର ଉଦଘାଟନୀ ଉତ୍ସବରେ ଉପବାଚସ୍ପତି ରଜନୀକାନ୍ତ ସିଂ, ସାଂସଦ ମହେଶ ସାହୁଙ୍କ ସହ ଜିଲ୍ଲାର ୪ ବିଧାୟକ, ପୌରପାଳିକା ଅଧ୍ୟକ୍ଷ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ । ଓସିଏ ଆପେକ୍ସ କମିଟିର ସଦସ୍ୟ ତଥା ଅନୁଗୋଳ କ୍ରିକେଟ ଆସୋସିଏସନର ସଭାପତିଙ୍କ ପ୍ରତକ୍ଷ ତତ୍ତ୍ବାବଧାନରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି । ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଚାଲିବ । ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ପୂର୍ବତନ କ୍ରିକେଟର ତଥା ସାଂସଦ ଗୌତମ ଗମ୍ଭୀର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଇଟିଭି ଭାରତ, ଅନୁଗୋଳ