ନୂଆଦିଲ୍ଲୀ: ପାକିସ୍ତାନ୍ରେ କ୍ରିକେଟ ମ୍ୟାଚ୍ ଓ ସୁରକ୍ଷା ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଦ୍ବିପାକ୍ଷିକ ସିରିଜ ଖେଳିବାକୁ ପାକିସ୍ତାନ ଗସ୍ତରେ ଆସିଥିବା ବିଦେଶୀ ଟିମ ଉପରକୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣକୁ ନିକଟରୁ ଦେଖିଛି କ୍ରିକେଟ ଜଗତ । ସେହିପରି ସୁରକ୍ଷା କାରଣ ଦର୍ଶାଇ ମ୍ୟାଚ୍ ଆରମ୍ଭର କିଛି ସମୟ ପୂର୍ବରୁ ଗସ୍ତ ବାତିଲ ଘୋଷଣା କରି ବିଦେଶୀ ଟିମ ପାକିସ୍ତାନକୁ ଫେରିଯିବା ଓ ସୁରକ୍ଷା କାରଣ ଦର୍ଶାଇ ବିଦେଶୀ ଟିମ ପାକ୍ ଗସ୍ତ ସ୍ଥଗିତ ରଖିବା ଘଟଣା ମଧ୍ୟ ନିକଟରେ ଦେଖାଯାଇଛି ।
ତେବେ ୱେଷ୍ଟଇଣ୍ଡିଜ ଟିମ(West Indies) ଦ୍ବିପାକ୍ଷିକ ସୀମିତ ଓଭର ସିରିଜ ଖେଳିବାକୁ ବୁଧବାର ପାକିସ୍ତାନ ଗସ୍ତ କରିଥିବାରୁ ପାକିସ୍ତାନ କ୍ରିକେଟ ବୋର୍ଡ(PCB) ପାଇଁ ଏହା ସଞ୍ଜିବନୀ ହୋଇଛି । ଏହି ଗସ୍ତରେ ପାକିସ୍ତାନ ବିପକ୍ଷରେ ୩ଟି ଟି-୨୦ ଓ ୩ ଟିକିଆ ଦିନିକିଆ ସିରିଜ ଖେଳିବ କାରବିୟନ ଟିମ ।
ତେବେ ସିରିଜ ଖେଳାଯିବା ସମୟରେ ଏଥର ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ଯୋଜନା କରିଛି ପାକ୍ ବୋର୍ଡ । ଡିସେମ୍ବର ୧୩ରେ ସିରିଜର ପ୍ରଥମ ମ୍ୟାଚ୍ ନ୍ୟାସନାଲ ଷ୍ଟାଡିୟମ କରାଚୀରେ ଖେଳାଯିବା ନେଇ ସୂଚୀ ରହିଛି । ସେଥିପାଇଁ କରାଚୀ ପୋଲିସ ପକ୍ଷରୁ ସୁରକ୍ଷା ନେଇ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିବା ଜଣାପଡିଛି ।
ଏହାମଧ୍ୟ ପଢନ୍ତୁ: U-19 Asia Cup: ୨୦ ଜଣିଆ ଟିମ୍ ଇଣ୍ଡିଆ ସ୍କ୍ବାଡ୍ ଘୋଷଣା
ଏକ ରିପୋର୍ଟ ଅନୁଯାୟୀ, ଗୁରୁବାର ସିନ୍ଧ୍ ବଏଜ ସ୍କାଉଟ୍ସ ଅଡିଟୋରିୟମରେ ଆଡିସନାଲ ଇନ୍ସପେକ୍ଟର ଜେନେରାଲ ଇମ୍ରାନ ୟାକୁବ ମିନହାସଙ୍କ ନେତୃତ୍ବରେ ସୁରକ୍ଷା ସମ୍ବଳିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସୁରକ୍ଷା DIG ଓ ଜରୁରୀକାଳୀନ ସେବା ବିଭାଗର ମକସୁଦ ଅହମ୍ମଦ ଗସ୍ତ ପାଇଁ କଡା ସୁରକ୍ଷା ପଦକ୍ଷେପ ନେଇ ଘୋଷଣା କରିଛନ୍ତି ।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନ୍ୟାସନାଲ ଷ୍ଟାଡିୟମରେ ମ୍ୟାଚ୍ ସମୟରେ କରାଚୀ ପୋଲିସର ୧୩ ସିନିୟର ଅଫିସରଙ୍କ ସମେତ ମୋଟ ୪୬ DCP, ୩୧୫ NGOs, ୩୮୨୨ କନଷ୍ଟେବଳ ଓ ହେଡ୍ କନେଷ୍ଟବଳ, ୫୦ ମହିଳା ପୋଲିସ, ୫୦୦ RPF ପୋଲିସ ଓ ୮୮୯ ସ୍ବତନ୍ତ୍ର ସୁରକ୍ଷା ୟୁନିଟ୍(SSU) ର କମାଣ୍ଡୋ, କରାଚୀ ଟ୍ରାଫିକ୍ ପୋଲିସ ସୁରକ୍ଷା ଦାୟିତ୍ବରେ ରହିବେ । ଖେଳାଳିଙ୍କ ଯିବାଆସିବା ରାସ୍ତା, ଅଭ୍ୟାସ ଗ୍ରାଉଣ୍ଡ, ପାର୍କିଂ ସ୍ଥାନ, ହୋଟେଲ ଓ ଅନ୍ୟ ସ୍ଥାନ ଗୁଡିକରେ ଏହି ଅଧିକାରୀ ନିୟୋଜିତ ହେବେ ।
ସ୍ପେଶାଲ ବ୍ରାଞ୍ଚ୍ର ସୁରକ୍ଷାକର୍ମୀ(special commandos) ମଧ୍ୟ ସାଧା ପୋଷାକରେ ନ୍ୟାସନାଲ ଷ୍ଟାଡିୟମ ଓ ହୋଟେଲରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହିତ ନିୟୋଜିତ ରହିବେ । ତେବେ ଏତେସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ନେଇ ଏହି ସିରିଜ କିପରି ଆଗଉଛି ଦେଖିବାର କଥା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ