ସାଉଥାମ୍ପଟନ: ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ବିଶ୍ବକପ ଫାଇନାଲ ପରି । ଏହା କହିଛନ୍ତି ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ନେଲ ୱାଗନର ।
ଜୁନ 18ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହାଇଭୋଲଟେଜ WTC ଫାଇନାଲ ମୁକାବିଲା ଇଂଲଣ୍ଡର ସାଉଥାମ୍ପଟନରେ ଖେଳାଯିବ । ଏହି ମେଗା ଇଭେଣ୍ଟ ପାଇଁ କେନ ୱିଲିୟମସନଙ୍କ ଟିମ ଇଂଲଣ୍ଡ ପହଞ୍ଚି ସାରିଥିବାବେଳେ ଜୁନ 3ରେ ସ୍ବତନ୍ତ୍ର ଚାଟାର୍ଡ ବିମାନ ଯୋଗେ ଇଂଲଣ୍ଡରେ ପହଞ୍ଚିବ ଟିମ ଇଣ୍ଡିଆ । ସମସ୍ତ ସଦସ୍ୟଙ୍କୁ ନେଗେଟିଭ ଆରଟି-ପିସିଆର ରିପୋର୍ଟ ଦେବାକୁ ହେବ । ଏନେଇ ଆଇସିସି ପକ୍ଷରୁ ଏକ ବିବୃତିରେ ସୂଚନା ଦିଆଯାଇଛି ।
ତେବେ WTC ଫାଇନାଲ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ଐତିହାସିକ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ ନ୍ୟୁଜିଲାଣ୍ଡ । ଏହି ସିରିଜ ଜୁନ୍ 2ରୁ ଆରମ୍ଭ ହେବ ।
ୟୁକେ ଗସ୍ତ ପରେ ନ୍ୟୁଜିଲାଣ୍ଡ ୱିକେଟ କିପର ବ୍ୟାଟ୍ସମ୍ୟାନ ବିଜେ ୱେଟଲିଂ ସମସ୍ତ ପ୍ରକାର କ୍ରିକେଟରୁ ସନ୍ୟାସ ଗ୍ରହଣ କରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ