ମୁମ୍ବାଇ: ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ବିବାଦିତ ଗୀତକୁ ନେଇ ଉତ୍ତର ପ୍ରଦେଶ ପୋଲିସ ଜାଗି ଉଠିଛି । ଗାୟକ ବରୁଣ ଉପାଧ୍ୟାୟ(ବରୁଣ ବହାର)ଙ୍କ ବିରୋଧରେ ଲକ୍ଷ୍ନୌ ହଜରତଗଞ୍ଜ ପୋଲିସ ଥାନାରେ ଏକ ମାମଲା ରୁଜୁ ହୋଇଛି । ଏବେ ବରୁଣଙ୍କୁ ଗିରଫ ମଧ୍ୟ କରିନିଆଯାଇଛି ।
ବରୁଣଙ୍କ ଗାଇଥିବା ଗୀତ 'ଜୋ ନା ବୋଲେ ଜୟଶ୍ରୀ ରାମ ଉସକୋ ଭେଜେ କବ୍ରିସ୍ତାନ' ଉପରେ ବିବାଦ ସୃଷ୍ଟି ହେବା ପରେ ପୋଲିସ ମାମଲା ରୁଜୁ କରିଥିଲା । ଏବେ ଅଭିଯୁକ୍ତ ବରୁଣଙ୍କୁ ଗୋଣ୍ଡାରୁ ଲକ୍ଷ୍ନୌ ଅଣାଯାଇଛି ।
ପ୍ରକାଶ ଥାଉକି ବରୁଣଙ୍କୁ ଗୋଣ୍ଡାର ମନକାପୁର ଥାନାର ବନ୍ଦରହା ଗାଁକୁ ଯାଇ ଲକ୍ଷ୍ନୌ ପୋଲିସି ରାତି 3ଟାରେ ତାଙ୍କୁ ହେପାଜତରେ ନେଇଥିଲା । ଏହି ଗୀତ ବିରୋଧରେ ଦିଲ୍ଲୀ ସମେତ ଅନେକ ସହରରେ ଏଫଆଇଆର ରୁଲୁଜ ହେବାର ସୂଚନା ସାମ୍ନାକୁ ଆସିଛି ।
ପୂର୍ବରୁ ଏକ ସାକ୍ଷାତକାରରେ ବରୁଣ କହିଥିଲେ କି ସେ ଲକ୍ଷ୍ନୌରୁ ସଙ୍ଗୀତ ଶିକ୍ଷା ହାସଲ କରିଥିଲେ । ସେ ପାଖାପାଖି 12 ବର୍ଷ ହେଲାଣି ଗୀତ ଗାଇ ନିଜ ପରିବାର ପେଟ ପୋଷୁଛନ୍ତି । ଏହାସହ ସେ ନିଜକୁ ଗରିବ ଘରର କହି ଲୋକଙ୍କୁ ଅପିଲ କରିଛନ୍ତି କି ତାଙ୍କ କ୍ଷମା କରିଦେବାକୁ ।
ଏହି ଗୀତଟିକୁ ତାଙ୍କ ବନ୍ଧୁ ସନ୍ତୋଷ ଯାଦବ ଲେଖିଛନ୍ତି । ଯେବେ ସେ ଲକ୍ଷ୍ନୌ ମ୍ୟୁଜିକ କମ୍ପନୀ ଜନତା ମ୍ୟୁଜିକ ଷ୍ଟୁଡିଓ ଯାଇଥିଲେ ତେବେ ଗୀତଟିକୁ ପରିବର୍ତ୍ତନ କରାଯାଇଥିଲା । ଭେଜ ଦୋ ପାକିସ୍ତାନ ସ୍ଥାନରେ ଭେଜ ଦୋ କବ୍ରିସ୍ତାନ କରାଯାଇଥିଲା । ଏଥିରେ ତାଙ୍କର କୌଣସି ଦୋଷ ନାହିଁ ବୋଲି ବରୁଣ ପୋଲିସକୁ ବୟାନ ଦେଇଛନ୍ତି ।