ହାଇଦ୍ରାବାଦ: ଏକ ଘରୋଇ ଚ୍ୟାନେଲର ଲୋକପ୍ରିୟ ଧାରାବାହିକ ମହାଭାରତ । ଲକଡାଉନରେ ପୁଣି ଥରେ ଏହାର ଚାହିଦା ବୃଦ୍ଧି ପାଇଛି । ପୁନଃ ପ୍ରସାରଣ ପରେ ଟିଆରପିରେ ଏହା ଶୀର୍ଷରେ ରହିଛି । ସବୁ ପୌରାଣିକ ଧାରାବାହିକ ମଧ୍ୟରେ ଏହାକୁ ଲୋକ ଅଧିକ ପ୍ରଶଂସା କରିଛନ୍ତି ।
ତେବେ ମହାଭାରତର ପ୍ରତିଟି କ୍ୟାରେକ୍ଟର ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲା । କୃଷ୍ଣ, ଅର୍ଜୁନ, ଦୌପଦ୍ରୀ, ଭୀମ ସମସ୍ତେ ସିରିଏଲ ପରେ ଅନେକ ପ୍ରଶଂସା ସାଉଁଟିଥିଲେ । ତେବେ ଏହାପରେ କଳାକାରମାନେ ବିଭିନ୍ନ ଲାଇନରେ ନିଜକୁ ବ୍ୟସ୍ତ ରଖିଥିଲେ । କିଏ ଫିଲ୍ମ ତ କିଏ ସିରିଏଲ ପୁଣି କିଏ ମୋଟିଭେସନାଲ ସ୍ପିକର ପାଲଟିଥିଲେ । ତେବେ ସବୁଠୁ ଚର୍ଚ୍ଚାରେ ଅଛନ୍ତି ଭୀମ କ୍ୟାରେକ୍ଟରରେ ଅଭିନୟ କରିଥିବା ସୌରଭ ଗୁଜ୍ଜର । ମହାଭାରତରେ ନିଜ ବଳ ଓ ଚେହେରା ପାଇଁ ପ୍ରସିଦ୍ଧ ଭୀମ ରିଅଲ ଜୀବନରେ ମଧ୍ୟ ନିଜ ବଳର ପରିଚୟ ଦେଇଛନ୍ତି ।
ବର୍ତ୍ତମାନ ଆମେରିକାର ପେସାଦାର କୁସ୍ତି ଡବ୍ଲୁଡବ୍ଲୁଇରେ ଷ୍ଟାର ବନିଛନ୍ତି ସୌରଭ । ଏବେ ଏହାର ପ୍ରାଥମିକ ପର୍ଯ୍ୟାୟରେ ସେ ଭାଗ ନେଇଛନ୍ତି । ଡବ୍ଲୁଡବ୍ଲୁଇ ଏନଏକ୍ସଟିରେ ସେ ସବୁଠାରୁ ବଳଶାଳୀ ପାଲଟିଛନ୍ତି । ତାଙ୍କର ପ୍ରାଥମିକ ପ୍ରଦର୍ଶନ ଚତ୍ମକାର ରହିଛି । ବିପକ୍ଷ ପ୍ରତିଯୋଗୀଙ୍କୁ ମାତ୍ର ଅଳ୍ପ ସମୟରେ ଧୂଳି ଚଟାଇ ଦେଉଛନ୍ତି ସୌରଭ । ତାଙ୍କ ପ୍ରଦର୍ଶନରେ ଖୁସି ହୋଇ ଆୟୋଜକ ପରବର୍ତ୍ତୀ ରାଉଣ୍ଡରେ ସୁଯୋଗ ଦେବା ବିଷୟରେ ଚିନ୍ତା କରୁଛନ୍ତି । ଏପରି ସ୍ଥିତିରେ ସେ ଆମେରିକାରେ ରହି ଡବ୍ଲୁଡବ୍ଲୁଇ ପ୍ରଶିକ୍ଷଣ ନେଉଛନ୍ତି । ଏନଏକ୍ସଟିରେ ସେ ଖୁବ୍ ଉତ୍ତମ ପ୍ରଦର୍ଶନ କରିଛନ୍ତି । ପ୍ରଥମରୁ ଅନେକ ରାଉଣ୍ଡରେ ସେ ବିଜୟୀ ହୋଇଛନ୍ତି । ଏବେ ତାଙ୍କୁ ଏବଂ ସ୍ମାକଡାଉନରେ ସୁଯୋଗ ମିଳିପାରେ ବୋଲି ଖବର ରହିଛି ।
ସୌରଭ ଗୁଜ୍ଜର ଲକଡାଉନରେ ଆମେରିକାରେ ରହିଛନ୍ତି । ପୂର୍ବରୁ ସେ ଏଥିରେ ଭାଗ ନେବା ପାଇଁ ସେଠାରେ ରହିଥିଲେ । ଲକଡାଉନରେ ଆଉ ଭାରତ ଫେରିନପାରି ପ୍ରଶିକ୍ଷଣ ଆରମ୍ଭ କରିଥିଲେ । ମହାଭାରତ ପରେ ସେ କିଛି ଫିଲ୍ମ ଓ ସିରିଏଲର ଅଫର ପାଇଥିଲେ । ହେଲେ ସେ କୁସ୍ତିଯୋଦ୍ଧା ପ୍ରତି ଅଧିକ ଆକର୍ଷିତ ଥିଲେ । ସେଥିପାଇଁ ସେ ଏହି ଲାଇନ ବାଛିଥିଲେ । ବର୍ତ୍ତମାନ ତାଙ୍କ ପ୍ରଦର୍ଶନରେ ଡବ୍ଲୁଡବ୍ଲୁଇ ଅଧିକାରୀ ଖୁସି ଅଛନ୍ତି । ଆଗାମୀ ଦିନରେ ସେ ଏଥିରେ ସଫଳ ହେବେ ବୋଲି ଆଶା କରିଛନ୍ତି । ପ୍ରକାଶ ଥାଉ କି ଡବ୍ଲୁଡବ୍ଲୁଇରେ ପୂର୍ବରୁ ଦ ଗ୍ରେଟ୍ ଖଲି ଏବଂ ଜିନ୍ଦର ମାହୋଲ ଦୁଇ ଭାରତୀୟ ଭାବେ ଚତ୍ମକାର ପ୍ରଦର୍ଶନ କରିଛନ୍ତି ।