ମୁମ୍ବାଇ: ଟେଲିଭିଜନ ଦୁନିଆର ପପୁଲାର ଶୋ ବିଗ୍ ବସର ୧୫ତମ ସିଜିନର ପ୍ରସ୍ତୁତି ଆରମ୍ଭ ହୋଇଛି । କୋରୋନା ମହାମାରୀ ଯୋଗୁଁ ଆଗାମୀ ସିଜିନରେ ବିଗବସରେ ଯୋଗ ଦେବାକୁ ଥିବା ସମସ୍ତ ସେଲିବ୍ରିଟିକୁ କ୍ବାରେଣ୍ଟିନରେ ରହିବାକୁ ହେବ । ଏହାଛଡ଼ା ବିଗବସ ଘରେ ମଧ୍ୟ ସଭିଙ୍କୁ କୋରୋନା ଗାଇଡଲାଇନ ମାନିବାକୁ ହେବ ।
ତେବେ ସବୁଠାରୁ ବଡ଼ ଖବର ହେଉଛି ଓଟିଟି ପ୍ଲାଟଫର୍ମରେ ବିଗବସ୍ ଓହ୍ଲାଇବାକୁ ଥିବାରୁ ଶୋ'ର ହୋଷ୍ଟକୁ ବଦଳି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଏଭଳି ହେଲେ ଲମ୍ବା ସମୟ ଧରି ବିଗବସ୍ ହୋଷ୍ଟ ଥିବା ସଲମନ ଖାଁଙ୍କ ସ୍ଥାନରେ ଅନ୍ୟ କାହାକୁ ଦେଖିବାକୁ ପାଇ ପାରନ୍ତି ଦର୍ଶକ ।
ଏଥିପାଇଁ ବଲିଉଡ ଫିଲ୍ମ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ସହ କଥା ହୋଇଛନ୍ତି ବିଗବସ୍ ଶୋ' ମେକର୍ । ଏହାସହ ଜଣାଶୁଣା କୋରିଓଗ୍ରାଫର ଫାରା ଖାଁଙ୍କ ସହ ମଧ୍ୟ ବିଗବସ୍ ଶୋ' ମେକର୍ କଥା ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି । ସେପଟେ ରୋହିତ ଶେଟ୍ଟୀଙ୍କ ବିଜି ସେଡ୍ୟୁଲ ଥିବାରୁ ସେ ଏହାକୁ ନେଇ କୌଣସି ଜବାବ ଦେଇନଥିବା ଆଲୋଚନା ହେଉଛି ।
ନିକଟରେ କେପ ଟାଉନରୁ ଖତରୋଂ କେ ଖିଲାଡ଼ି ସୁଟିଂ ଶେଷ କରି ଫେରିଛନ୍ତି ରୋହିତ ଶେଟ୍ଟୀ । ଅଗଷ୍ଟ ୮ ତାରିଖରୁ ଓଟିଟି ପ୍ଲାଟଫର୍ମରେ ବିଗବସ ପ୍ରସାରିତ ହେବ । ଏଥିପାଇଁ ତେବେ ହୋଷ୍ଟ କିଏ ରହିବେ ତାହାକୁ ନେଇ କୌଣସି ସ୍ପଷ୍ଟୀକରଣ ମିଳିନାହିଁ । ତେବେ ଟେଲିଭିଜନରେ ସଲମାନ ଖାଁ ଏହାର ହୋଷ୍ଟ ରହିବେ । କେବଳ ଓଟିଟି ପ୍ଲାଟଫର୍ମ ପାଇଁ ନୂଆ ହୋଷ୍ଟ ଖୋଜୁଛନ୍ତି ମେକର୍ସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ