ଗାନ୍ଧୀନଗର: ଟିଭି ଜଗତର ଲୋକପ୍ରିୟ ଧାରାବାହିକ 'ତାରକ ମେହତା କା ଉଲ୍ଟା ଚଷମା'ର ନଟ୍ଟୁ କାକା ଆଉ ଏ ଦୁନିଆଁରେ ନାହାଁନ୍ତି । ଦୀର୍ଘ ଦିନରୁ କ୍ୟାନସର ସହ ସଂଘର୍ଷ କରୁଥିବା ନଟ୍ଟୁ କାକାଙ୍କ ଦେହାନ୍ତ ହୋଇଛି । ତେବେ ତାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ଶୋ'ର ପ୍ରଯୋଜକ ଅସିତ ମୋଦି । ସେ ମୂଳରୁ ହିଁ ତାରକା ମେହତା କା ଉଲ୍ଟା ଚଷମାରେ ଅଭିନୟ କରିଆସୁଥିଲେ ।
ନିଜ ହାସ୍ୟ ଅଭିନୟରେ ସମସ୍ତଙ୍କୁ ହସାଇ ହସାଇ ବେଦମ କରୁଥିଲେ ନଟ୍ଟୁ କାକା ତଥା ଘନଶ୍ୟାମ ନାୟକ । ଶୋ'ରେ ସେ ଜେଠାଲାଲଙ୍କ ସହଯୋଗୀ ଭୂମିକାରେ ଅଭିନୟ କରୁଥିଲେ । ସିରିୟଲରେ ନିଜର ସୁନ୍ଦର ହସ ଓ ଇଂରାଜୀ କହିବାର ଢଙ୍କ ସମସ୍ତଙ୍କୁ ମନୋରଞ୍ଜିତ କରୁଥିଲା ।
୧୨ ମେ’ ୧୯୪୪ରେ ହୋଇଥିଲା ଘନଶ୍ୟାମ ନାୟକଙ୍କ ଜନ୍ମ । ୭୭ ବର୍ଷରେ ସେ ଆଖିବୁଜିଛନ୍ତି । କ୍ୟାନସର ସହ ଅନେକ ଦିନରୁ ସଂଘର୍ଷ କରୁଥିଲେ ଘନଶ୍ୟାମ । କେବଳ ଟିଭି ନୁହେଁ ବରଂ ଅନେକ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି ଘନଶ୍ୟାମ । ୧୯୬୦ରେ ସେ ଅଶୋକ କୁମାରଙ୍କ ଫିଲ୍ମ 'ମାସୁମ'ରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ଏହାପରେ ବେଟା, ତିରଙ୍ଗା, ଆଁଖେ, ଲାଡଲା, କ୍ରାନ୍ତିବୀର, ଆନ୍ଦୋଳନ, ବରସାତ, ଚାହତ, ଚାଇନା ଗେଟ ଓ ଖାକି ସମେତ ଅନେକ ଫିଲ୍ମରେ ସେ କାମ କରିଛନ୍ତି । ଘନଶ୍ୟାମଙ୍କ ବିୟୋଗ ମନୋରଞ୍ଜନ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।