ମୁମ୍ବାଇ: ଆଖି ବୁଜିଲେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ମିନୁ ମୁମତାଜ । ୭୯ ବର୍ଷ ବୟସରେ ଆଜି ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ମୃତ୍ୟୁ ଘଟିଛି । କାନାଡାରେ ସେ ନିଜର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅଭିନେତ୍ରୀଙ୍କ ଭାଇ ଅନୱର ଅଲ୍ଲୀ ସୋସିଆଲ ମିଡିଆରେ ତାଙ୍କ ଦେହାନ୍ତ ଖବର ଜଣାଇଛନ୍ତି ।
ମିନୁ ମମତାଜ ଲୋକପ୍ରିୟ କମେଡିଆନ ମେହମୁଦ ଅଲ୍ଲୀଙ୍କ ଭଉଣୀ ଥିଲେ । ସେ ଅନେକ ହିନ୍ଦୀ ଫିଲ୍ମରେ ଅଭିନୟ କରିଛନ୍ତି । ୧୯୫୦ ଏବଂ ୧୯୫୦ ଦଶକରେ ବଲିଉଡ ଇଣ୍ଡଷ୍ଟ୍ରୀରେ ଖୁବ୍ ସକ୍ରିୟ ଥିଲେ ମିନୁ । ଅଭିନେତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇ ତାଙ୍କ ଭାଇ ଫିଲ୍ମ ଇଣ୍ଡଷ୍ଟ୍ରୀ, ମିଡିଆ ଏବଂ ତାଙ୍କର ସମସ୍ତ ପ୍ରଶଂସକ ଓ ବନ୍ଧୁମାନଙ୍କୁ ମିନୁଙ୍କ ଭଲ ପାଇବା ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ।
ମିନୁ ମୁମତାଜ ଫିଲ୍ମରେ ଡ୍ୟାନ୍ସର ଏବଂ କ୍ୟାରେକ୍ଟର ଆର୍ଟିଷ୍ଟ ଥିଲେ । ତାଙ୍କର ପ୍ରକୃତ ନାମ ମଲିକୁନ୍ନିସା ଅଲ୍ଲୀ(Malikunnisa ali) ଅଟେ । ଭେଟେରାନ ଅଭିନେତ୍ରୀ ମୀନା କୁମାରୀ ତାଙ୍କ ନାମ ମିନୁ ରଖିଥିଲେ । ମିନୁ ମୁମତାଜ ଜଣେ ଷ୍ଟେଜ ଡ୍ୟାନ୍ସର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ।
ତାଙ୍କର ପ୍ରଥମ ଫିଲ୍ମ Sakhi Hateem ଥିଲା । ଏହି ମୁଭିରେ ସେ ବଲରାଜ ସାହାନୀଙ୍କ ଅପୋଜିଟ ଭୂମିକାରେ ଅଭିନୟ କରିଥିଲେ । କାଗଜ କା ଫୁଲ, ଚୌଦୱିଂ କା ଚାନ୍ଦ, ସାହେବ ବିବି ଔର ଗୁଲାମ, ତାଜମହଲ, ଘୁଙ୍ଘଟ, ଇନସାନ ଜାଗ ଉଠା, ଘର ବସାକେ ଦେଖୋ ଓ ଗଜଲ ଭଳି ଫିଲ୍ମରେ ଅଭିନୟ କରିଥିଲେ ମୁମତାଜ ।
୧୯୪୨ ମସିହା ଏପ୍ରିଲ ୨୬ ତାରିଖରେ ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ଜନ୍ମ । ସେ ପିଲାଟି ଦିନରୁ ନୃତ୍ୟ ତାଲିମ ନେଇଥିଲେ ।