ହାଇଦ୍ରାବାଦ: ଫ୍ୟାନ୍ସଙ୍କୁ ଲାଗିଲା ବଡ଼ ଝଟକା । ଅଲଗା ହେଲେ ଟଲିଉଡ଼ର ଲୋକପ୍ରିୟ ଯୋଡ଼ି ନାଗା ଚୈତନ୍ୟ ଓ ସାମନ୍ଥା ରୁଥ ପ୍ରଭୁ । ଉଭୟ ପ୍ରେମ ବିବାହ କରିଥିବାବେଳେ ବର୍ତ୍ତମାନ ସେମାନଙ୍କ ବିବାହ ବିଚ୍ଛେଦ ହୋଇଛି ବୋଲି ସୂଚନା ମିଳିଛି ।
୨୦୧୭ ମସିହାରେ ନାଗାଚୈତନ୍ୟ ଓ ସାମନ୍ଥା ବିବାହ କରିଥିବା ବେଳେ ଆଜି ସେମାନେ ନିଜର ବିବାହ ବିଚ୍ଛେଦ ସମ୍ପର୍କରେ ସୋସିଆଲ ମିଡ଼ିଆ ଟ୍ବିଟର ଓ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ଅନେକ ଆଲୋଚନା ଏବଂ ପରାମର୍ଶ ପରେ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଉଭୟ ଗୋଟିଏ ଦଶନ୍ଧି ଧରି ଉତ୍ତମ ବନ୍ଧୁ ହେବାର ସୌଭାଗ୍ୟ ପାଇଥିଲେ । ବର୍ତ୍ତମାନ ଠାରୁ ସେମାନେ ଭିନ୍ନ ଯାତ୍ରା କରିବେ ବୋଲି ଉଭୟ ସାମନ୍ଥା ଓ ଚୈତନ୍ୟ ଟ୍ବିଟ୍ କରିଛନ୍ତି ।
ପ୍ରଶଂସକ, ଶୁଭେଚ୍ଛୁ ଏବଂ ଗଣମାଧ୍ୟମକୁ ସମର୍ଥନ କରିବାକୁ ଉଭୟ ଅନୁରୋଧ କରିଛନ୍ତି । ଏହାସହିତ ତାଙ୍କର ଗୋପନୀୟତାକୁ ରକ୍ଷା କରିବାକୁ ସେମାନେ ଅନୁରୋଧ ମଧ୍ୟ କରିଛନ୍ତି । ଯାହା ଫଳରେ ସେମାନେ ନିଜ ନିଜ ଜୀବନରେ ଆଗକୁ ବଢିପାରିବେ । ଗତ କିଛି ଦିନ ଧରି ଉଭୟଙ୍କ ବିଚ୍ଛେଦକୁ ନେଇ ଚର୍ଚ୍ଚା ଜୋର ଧରିଥିଲା, ଯେତେବେଳେ ସାମନ୍ଥା ତାଙ୍କ ଟ୍ବିଟର ଆକାଉଣ୍ଟରୁ ସରନେମ ହଟାଇଥିଲେ । ସାମନ୍ଥା ଅକ୍କିନେନି ନାମକୁ ପରିବର୍ତ୍ତନ କରି ଖାଲି 'S' ଲେଖିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ