ଭୁବନେଶ୍ବର: ସୋମବାର ଠାରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହୋଇଯାଇଛି ନବମ ଜାତୀୟ ନାଟ୍ୟ ଉତ୍ସବ ‘ପୂର୍ବରଙ୍ଗ’। ପ୍ରଥମ ଦିନରେ ଓଡିଶାର ଜୀବନ ରେଖା ଥିଏଟର ଗ୍ରୁପ ପକ୍ଷରୁ ନାଟକ ସୀତା ପରିବେଷଣ କରାଯାଇଛି।
କିପରି ଭାବରେ ଅନୁଭୂତି ସଂଗ୍ରହ କରାଯିବା ସହ ନିଜର କର୍ତ୍ତବ୍ୟ ଓ ସଂଗ୍ରାମ କରିବାକୁ ପଡେ ତାହାକୁ ଅତି ପ୍ରାଞ୍ଜଳ ଭାବେ ଉପାସ୍ଥାନ କରାଯାଇଛି। ୪ ବନ୍ଧୁଙ୍କ ବନ୍ଧୁତ୍ବ ଓ ଦ୍ବନ୍ଦ୍ବକୁ ନେଇ ରଚିତ ଏହି ନାଟକର କାହାଣୀ। ରାଜା ପୁଅ, ମନ୍ତ୍ରୀ ପୁଅ, କଟୁଆଳ ପୁଅ ଓ ବଢେଇ ପୁଅ ଏ ଚାରି ଜଣଙ୍କ ନିବିଡ଼ ବନ୍ଧୁତ୍ବ ଦେଖିଲେ ଯେ କେହି ବି ଈର୍ଷା କରିବେ। ବ୍ରହ୍ମଚର୍ଯ୍ୟ ନିୟମ ଅନୁସାରେ ବିଦ୍ୟାଗ୍ରହଣ ନିମନ୍ତେ ସମସ୍ତେ ଗୁରୁକୁଳକୁ ଯାଆନ୍ତି। ଆଉ ଏକ ଅଜଣା ଜଙ୍ଗଲରେ ରାତି ବିତାଉଛନ୍ତି । ଯାହା ପରଠୁ ଆରମ୍ଭ ହୁଏ ଜଣ ଜଣଙ୍କ କାହାଣୀ ।
ସୋମବାର ସନ୍ଧ୍ୟାରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ରାମକୃଷ୍ଣ ସାହୁ, ସଚିବ ପ୍ରବୋଧ ରଥ, ନାଟ୍ୟ ବ୍ୟକ୍ତିତ୍ବ ପ୍ରସନ୍ନ ମିଶ୍ର ଓ ଓଡ଼ିଶା ନାଟ୍ୟ ସଂଘର ସମ୍ପାଦକ ଲାଲା ବୀରେନ ରାୟ ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ।
କୋରୋନା କଟକଣା ମଧ୍ୟରେ ଆୟୋଜିତ ଏହି ନାଟ୍ୟ ଉତ୍ସବର ପ୍ରଥମ ସନ୍ଧ୍ୟାକୁ ଉପସ୍ଥିତ ଦର୍ଶକ ଶେଷ ପର୍ଯ୍ୟନ୍ତ ମନଭରି ଉପଭୋଗ କରିଥିବା ଦେଖାଯାଇଛି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ