ଭୁବନେଶ୍ବର : ଥ୍ରିଲର କି ଆକ୍ସନ ନୁହେଁ । କୋରୋନା ମହାମାରୀକୁ ନେଇ ସୁମା ରିୟଲ ମିଡିଆ ପ୍ରସ୍ତୁତ କରୁଛି ନୂତନ ଓଡିଆ ଚଳଚ୍ଚିତ୍ର "ଉହାନରୁ ଓଡିଶା" । କୋରୋନା ଭୂତାଣୁ ସୁଦୁର ଚୀନ୍ର ଉହାନ ସହରରୁ କିଭଳି ଓଡିଶା ଆସି ସଂକ୍ରମିତ କଲା । ଆଉ କୋରୋନା ମହାମାରୀ ଯୁଦ୍ଧରେ ଡାକ୍ତର, ନର୍ସଙ୍କ ମେଡିକାଲ କର୍ମଚାରୀ ଭଳି କୋଭିଡ ଯୋଦ୍ଧାମାନେ କିଭଳି ନିଜ ଜୀବନକୁ ଖାତିର ନକରି ଅନବରତ ସେବା କରିଥିଲେ । ସେହି ସମୟରେ ହସ୍ପିଟାଲ ଭୂମିକା ସହ ଅଦୃଶ୍ୟ କେରୋନା ମହାମାରୀ ବିରୋଧରେ ଯୁଦ୍ଧର ଟିକନିକ ଦୃଶ୍ୟପଟ୍ଟକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ "ଉହାନରୁ ଓଡିଶା" ।
କୋଭିଡ ଯାେଦ୍ଧାଙ୍କ ଭୂମିକା ଉପରେ ପର୍ଯ୍ୟବେସିତ ସଞ୍ଜୟ ନାଏକଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେବାକୁ ଯାଉଥିବା ଏହି ଫିଲ୍ମଟି ସୋଆ କ୍ୟାମ୍ପସ-୨ରେ ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ଏହି ଫିଲ୍ମ ଲୋକଙ୍କୁ କୋଭିଡ ସଚେତନ ସହ ନିରାକରଣ ଓ ମହାମାରୀ ମୁକାବିଲା କ୍ଷେତ୍ରରେ ପ୍ରେରଣା ଯୋଗାଇବ । ଏହାସହ ଅଭିନେତ୍ରୀ ଲିପିକା ଓ ଅଭିନେତା ଅଭିଜିତଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିବ । ସଞ୍ଜୟ ନାଏକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଂଗୀତ ଦେଇଛନ୍ତି ବସନ୍ତରାଜ ସାମଲ । ଏହି ଫିଲ୍ମରେ କୋଭିଡ ଚିକିତ୍ସା କ୍ଷେତ୍ରରେ ସମ କୋଭିଡ ହସପିଟାଲର ଭୂମିକା, ରୋଗୀ ସେବା ଓ ମହାମାରୀ ସମୟରେ ରୋଗୀଙ୍କୁ ଚିକିତ୍ସା ଯାେଗାଇବା ଭଳି ଚ୍ୟାଲେଞ୍ଜ ପରିସ୍ଥିତିର ସଫଳ କାହାଣୀ ଦେଖିବାକୁ ପାଇବେ ଦର୍ଶକ । ଯାହା ସବୁ ବର୍ଗର ଦର୍ଶକଙ୍କ ମନକୁ ଛୁଇଁବ ବୋଲି ନିର୍ଦ୍ଦେଶକଙ୍କର ଆଶା ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ