ଭୁବନେଶ୍ବର: ଓଲିଉଡ ଜଗତର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର । ଓଲିଉଡକୁ ଗୋଟିଏ ପରେ ଗୋଟିଏ ହିଟ୍ ମୁଭି ଭେଟି ଦେଇଛନ୍ତି ଏହି ଷ୍ଟାର । ପାଗଳ ପ୍ରେମୀ ଫିଲ୍ମରୁ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି ମାରିଥିଲେ ସବ୍ୟ । ସେବେଠାରୁ ସେ ବର୍ତ୍ତମାନ ସୁଦ୍ଧା ୩୫ଟିରୁ ଅଧିକ ଓଡିଆ ଫିଲ୍ମ ଏବଂ ୧୦୦ ରୁ ଅଧିକ ଆଲବମରେ ଅଭିନୟ କରିସାରିଛନ୍ତି । ଓଲିଉଡ ଷ୍ଟାର ସାଙ୍ଗକୁ ଏକ ମହାନ ସମାଜସେବୀ ଭାବେ ପ୍ରତିଟି ଓଡିଆଙ୍କ ମନରେ ବସିଛନ୍ତି ସେ । ଆଜି ଏହି ଷ୍ଟାର କଳାକାରଙ୍କ ଜନ୍ମଦିନ । ୩୬ ବର୍ଷରେ ପାଦ ଦେଇଛନ୍ତି ସବ୍ୟସାଚୀ ।
୧୯୮୫ ମସିହା ଅକ୍ଟୋବର ୬ ତାରିଖ ଦିନ ସମ୍ବଲପୁର ଜିଲ୍ଲାର ବୁର୍ଲାଠାରେ ସବ୍ୟସାଚୀଙ୍କ ଜନ୍ମ । ଉଚ୍ଚଶିକ୍ଷା ଲାଭ କରି ୨୦୦୭ ମସିହାରେ ଓଲିଉଡରେ ପାଦ ଥାପିଥିଲେ । ଆଉ ସେବେଠାରୁ ସବ୍ୟ ଓଡିଶାର ଘରେ ଘରେ ପରିଚିତ । ଛାତିରେ ଲେଖିଛି ତୋରି ନାଁ, ମୁଁ ସପନର ସୌଦାଗର, ପାଗଳପ୍ରେମୀ, ପିଲାଟା ବିଗିଡିଗଲା, ତୋର ମୋର ଯୋଡି ସୁନ୍ଦର, ଧୀରେ ଧୀରେ ପ୍ରେମ ହେଲା, ସ୍ମାଇଲ ପ୍ଲିଜ, ମୁଁ ଏକା ତୁମର, ବାଏ ବାଏ ଦୁବାଇ, କେଉଁ ଦୁନିଆରୁ ଆସିଲ ବନ୍ଧୁ, ଏମିତି ବି ପ୍ରେମ ହୁଏ ତାଙ୍କର ହିଟ୍ ଫିଲ୍ମ ମଧ୍ୟରୁ ଅନ୍ୟତମ । ସବ୍ୟ ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରେ ରିଲ ଲାଇଫର ସ୍କ୍ରିନ ପାର୍ଟନର ଚୁଲବୁଲ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
ଫିଲ୍ମ ଅପେକ୍ଷା କୋଭିଡ ସଙ୍କଟ ସମୟରେ ଅଧିକ ଚର୍ଚ୍ଚା ସାଉଁଟିଥିଲେ ସବ୍ୟସାଚୀ ମିଶ୍ର । ରିଲ୍ ଲାଇଫ ହିରୋ ରିଲୟ ଲାଇଫରେ ପ୍ରଶଂସକଙ୍କ ପାଇଁ ପାଲଟି ଯାଇଥିଲେ ଭଗବାନ । ଗରୀବ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ହେଉ ଅବା ଲକଡାଉନ ସମୟରେ ପ୍ରବାସୀଙ୍କୁ ଘର ଫେରାଇ ଆଣିବା ହେଉ ସବୁବେଳେ ଆଗେଇ ଆସିଥାନ୍ତି ସବ୍ୟ । କେବଳ ପ୍ରବାସୀ ଓଡିଆ ନୁହଁନ୍ତି, ଗରୀବ ପିଲାଙ୍କ ପାଠପଢାଠୁ ଆରମ୍ଭ କରି ଚିକିତ୍ସା ଯାଏଁ ସବୁଥିରେ ସହଯୋଗ କରି ଲୋକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି ଏହି ଓଲିଉଡ ଷ୍ଟାର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ