ଭୁବନେଶ୍ବର: ରିଲିଜ୍ ହୋଇଛି ବାବୁସାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ଦମନର ଟ୍ରେଲର । ଏହା ରିଲିଜ ହେବା ପରେ ଫ୍ୟାନଙ୍କ ପ୍ରଶଂସା ସାଉଁଟିବାରେ ଲାଗିଛି । ଫିଲ୍ମ ନିର୍ମାଣକାରୀ ସଂସ୍ଥା ଜେପି ମୋସନ ପିକ୍ଚର ଏହାକୁ ସୋସିଆଲ ମିଡିଆ ମାଧ୍ୟମରେ ରିଲିଜ କରିଛି । ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ଏହି ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଥିବାବେଳେ ପବିତ୍ର ସାଧାରଣତନ୍ତ୍ର ଦିବସରେ ଏହାକୁ ରିଲିଜ କରାଯାଇଥିବା ଜଣାପଡ଼ିଛି ।
ଓଡ଼ିଶାର ବିଭିନ୍ନ ଅଞ୍ଚଳ ବିଶେଷ କରି ମାଲକାନଗିରିରେ ଲୋକଙ୍କୁ ମ୍ୟାଲେରିଆ ଓ ବସନ୍ତ ହେଲେ ସେମାନେ ଅନ୍ଧବିଶ୍ବାସରେ ବୁଡ଼ି ରହୁଥିଲେ । ଏହାସହିତ ରୋଗକୁ ମଧ୍ୟ ଚିହ୍ନି ପାରୁନଥିଲେ । ଫିଲ୍ମରେ ସେ ସମ୍ପର୍କରେ ବର୍ଣ୍ଣନା କରାଯାଉଛି । ଏହିଭଳି ସ୍ଥାନରେ କିପରି ଜଣେ ଡାକ୍ତର ରୋଗ ଆଉ ରୋଗୀକୁ ଅନ୍ଧ ବିଶ୍ଵାସର ଅନ୍ଧାର ଗଳିକୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି ତାହା ଚିତ୍ରିତ ହୋଇଛି । ତାସହ ଏଭଳି ଅଞ୍ଚଳ ବାହ୍ୟ ଦୁନିଆରୁ ଅଲଗା ନ ହୋଇ ସବୁ ପ୍ରକାର ସେବା କିଭଳି ପାଇବ ଏଥିପାଇଁ ଜଣେ ବାଳକ ସଂଘର୍ଷ କରୁଥିବା ଫିଲ୍ମରେ ଦେଖିବାକୁ ମିଳିଛି ।
ସେ ନିଜ କର୍ତ୍ତବ୍ୟକୁ ଅଧିକ ପ୍ରାଧାନ୍ୟ ଦେବା ସହ ଲୋକମାନଙ୍କ ପାଇଁ ସବୁ ପରିସ୍ଥିତିରେ ସଂଘର୍ଷ କରିଛି ସେ ବିଷୟରେ ଦେଖିବାକୁ ମିଳିଛି । ନିକଟରେ ରିଲିଜ୍ ହୋଇଥିବା ଏହାର ଟ୍ରେଲର ଦେଖି ଦର୍ଶକ ଫିଲ୍ମକୁ ଖୁବ ପସନ୍ଦ କରିଛନ୍ତି । ଏହି ଚଳଚ୍ଚିତ୍ର ଓଡି଼ଆ ଚଳଚ୍ଚିତ୍ର ଜଗତରେ ନୂଆ ଏକ ପରିଚୟ ସୃଷ୍ଟି କରିବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି । ଏହି ଚଳଚ୍ଚିତ୍ରର ପ୍ରଯୋଜନାରେ ଦୀପେନ୍ଦ୍ର ସାମଲ ଥିବାବେଳେ ଏହାକୁ ନିର୍ଦ୍ଦେଶନା ଦେଉଛନ୍ତି ଯୁବ ନିର୍ଦ୍ଦେଶକ ବିଶାଳ ମୋର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା । ମୁଖ୍ୟ ଭୂମିକାରେ ରହିଛନ୍ତି ବାବୁସାନ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ