ୱାଶିଂଟନ: ଆମେରିକାରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୋଏଡଙ୍କ ସମର୍ଥନରେ ବାହାରିଛନ୍ତି ହଲିଉଡ ଷ୍ଟାର । ନିକଟରେ ପୋଲିସ ଅତ୍ୟାଚାରରେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ସାରା ଆମେରିକାରେ ଏହା ବିରୋଧରେ ବିକ୍ଷୋଭ ଜାରି ରହିଛି । ହଲିଉଡ ଷ୍ଟାର ମଧ୍ୟ ଏହା ସମର୍ଥନରେ ମଙ୍ଗଳବାର ବ୍ଲାକ୍ ଡେ ପାଳିଛନ୍ତି ।
ହଲିଉଡର ନାମୀଦାମୀ ଷ୍ଟାର ଏଥିରେ ଅଂଶଗ୍ରହଣ କରିଥିଲେ । କୃଷ୍ଣକାୟଙ୍କ ଜୀବନ ମହତ୍ତ୍ବପୂର୍ଣ୍ଣ ଏପରି ଲେଖି ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଅନେକ ସେଲିବ୍ରିଟି । ଏହାସହ ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ଲାକ୍ କରିଦେଇଥିଲେ । କୃଷ୍ଣକାୟ ସମ୍ପ୍ରଦାୟ ବିରୋଧରେ ଆମେରିକା ପୋଲିସର ମନୋଭାବ ଓ ଅତ୍ୟାଚାରକୁ ଏମାନେ ବିରୋଧ କରିଥିଲେ । ଏଥିରେ ଗାଲ ଗାଡୋଟ୍, ରିହାନା, ଲେଡି ଗାଗାଙ୍କ ଭଳି ଷ୍ଟାର ସାମିଲ ଥିଲେ ।
ସମସ୍ତେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଙ୍ଗଳବାରକୁ ବ୍ଲାକ ଡେ ଭାବେ ପାଳିଛନ୍ତି । ଆମେରିକାର ବିଭିନ୍ନ ପପ ଷ୍ଟାର ଏବଂ ସିଙ୍ଗର ମଧ୍ୟ ଏହି ଅଭିଯାନକୁ ସମର୍ଥନ କରିଥିଲେ । କେଟି ପେରୀ, ଡିଜେ ନାଇସଙ୍କ ଭଳି ଷ୍ଟାର ଏହି ଅତ୍ୟାଚାର ବିରୋଧରେ ପୋଷ୍ଟ ଲେଖିଥିଲେ ।
ପ୍ରକାଶ ଥାଉ କି କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୋଏଡଙ୍କର ପୋଲିସ ଆକ୍ରମଣରେ ମୃତ୍ୟୁପରେ ଆମେରିକାରେ ତୀବ୍ର ଉତ୍ତେଜନା ଦେଖାଦେଇଛି ।