ୱାଶିଂଟନ: କୋଭିଡ 19 କବଳରେ ସାରା ବିଶ୍ବ କବଳିତ । ସମସ୍ତ ସେକ୍ଟର ଉପରେ ଏହାର ପ୍ରଭାବ ପଡିଛି । ସାଧାରଣ ଜନତାଠାରୁ ରାଜନେତା ଓ ସେଲିବ୍ରିଟି ସମସ୍ତେ ଏହାର ଶିକାର ହୋଇଛନ୍ତି । ବିଶ୍ବର ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ଏହି ମହାମାରୀ ଦ୍ବାରା ଅନେକ ମାତ୍ରାରେ ପ୍ରଭାବିତ ହୋଇଛି ।
ହଲିଉଡଠାରୁ ବଲିଉଡ ଯାଏଁ ଅନେକ ଷ୍ଟାର ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଭାରତରେ ସିଙ୍ଗର କନିକା କପୁର, ପ୍ରଯୋଜର କରିମଙ୍କ ସମେତ କିଛି ଟେଲି ଷ୍ଟାର ଏହାର ଶିକାର ହୋଇଥିଲେ । ତେବେ ହଲିଉଡରେ ମଧ୍ୟ ଏହା ନିଜର ତାଣ୍ଡବ ରଚିଛି । ମାର୍ଚ୍ଚ ମାସରେ ପ୍ରଥମେ ଏକାଡେମୀ ପୁରସ୍କାର ବିଜେତା ହଲିଉଡ ଆକ୍ଟର ଟମ ହାଙ୍କସ ଓ ତାଙ୍କ ପତ୍ନୀ କୋରୋନା ଆକ୍ରାନ୍ତ ନେଇ ଟ୍ବିଟରରେ ସୂଚନା ଦେଇଥିଲେ । ଅଷ୍ଟ୍ରେଲିଆରେ ଥିବାବେଳେ ସେ ଏହି ରୋଗର ଶିକାର ହୋଇଥିଲେ । ପରେ ସୁସ୍ଥ ହୋଇ ଉଭୟ ମାର୍ଚ୍ଚ ଶେଷ ଆଡକୁ ଆମେରିକା ଫେରିଥିଲେ ।
ସେହିପରି ଅନ୍ୟତମ ଲୋକପ୍ରିୟ ଆକ୍ଟର ଇଡ୍ରିସ ଏଲବା ମଧ୍ୟ ଏହି ମହାମାରୀରେ ପଜିଟିଭ ଥିବାର ଖବର ଆସିଥିଲା । ହବ୍ସ ଆଣ୍ଡ ଶୋ ଏବଂ ଥୋର ପରି ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଥିବା ଇଡ୍ରିସ ସୋସିଆଲ ମିଡିଆରେ ଏହା ସମ୍ପର୍କରେ ସୂଚନା ଦେଇଥିଲେ । ତେବେ ସେ ମଧ୍ୟ ଏଥିରୁ ସୁସ୍ଥ ହୋଇଥିବା ସ୍ପଷ୍ଟ ହୋଇଥିଲା ।
ଏହାପରେ ଗେମ ଅଫ ଥ୍ରୋନ୍ସ ଆକ୍ଟର ଖ୍ରୀଷ୍ଟଫେର ହିଭଜୁ ଏଥିରେ ଆକ୍ରାନ୍ତ ହୋଇଥିଲେ । ପଜିଟିଭ ଥିବା ସ୍ପଷ୍ଟ ହେବା ପରେ ସେ ଏକୁଟିଆ ରହିବାର ନିଷ୍ପତ୍ତି ନେଇଥିଲେ । ସେହିପରି ଜେମସ ବଣ୍ଡ ଫିଲ୍ମର ହିରୋଇନ ଓଲଗା କୂରିଲେଙ୍କୋ ମଧ୍ୟ ଆକ୍ରାନ୍ତ ଖବର ଇନଷ୍ଟାଗ୍ରାମରେ ଦେଇଥିଲେ । ଫ୍ରୋଜେନ 2ରେ ଭଏସ ଓଭର ଦେଇଥିବା ଆକ୍ଟ୍ରେସ ରାଚେଲ ମାଥ୍ୟୁସ ମାର୍ଚ୍ଚ 16ରେ ପଜିଟିଭ ଖବର ସ୍ପଷ୍ଟ କରିଥିଲେ । ଏହାପରେ ସେ ନିଜକୁ ସେଲଫ ଆଇସୋଲେସନରେ ରଖିଥିଲେ ।
ମାର୍ଚ୍ଚ 17ରେ 19 ବର୍ଷିୟା ସିଙ୍ଗର ଚାର୍ଲେଟ ଲୱରେନ୍ସ ନିଜ କୋରୋନା ପଜିଟିଭ ସମ୍ପର୍କରେ ଫ୍ୟାନ୍ସଙ୍କୁ ଖବର ଦେବା ସହ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଥିଲେ । ମାର୍ଚ୍ଚ 24ରେ ପପ ଲିଜେଣ୍ଡ ମାନୂ ଦିବାଙ୍ଗୋ କୋଭିଡ 19ର ଶିକାର ହେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ନିଜ ଫେସବୁକ ପେଜରେ ପରିବାର ଲୋକେ ଏହି ଘୋଷଣା କରିଥିଲେ । ମାର୍ଚ୍ଚ 18ରେ ସେ କୋରୋନା ଆକ୍ରାନ୍ତ ହୋଇଥିଲେ ।
ସେହିପରି ମାର୍ଚ୍ଚ 19ରେ ଡାନିଏଲ ଡାଏ କିମ କୋରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିଲେ । ଏହିପରି ଭାବେ ଆହୁରି ଅନେକ ପପ ସିଙ୍ଗର, ଟେଲି ଆକ୍ଟର ମଧ୍ୟ କୋଭିଡ 19 କବଳରେ ପଡିଥିଲେ । ସହୁଠାରୁ ବଡ କଥା ହେଉଛି ଏହି ସମସ୍ତ ସେଲିବ୍ରିଟି ମାର୍ଚ୍ଚ ମାସରେ ହିଁ ଆକ୍ରାନ୍ତ ହୋଇଥିଲେ । ସେଥିପାଇଁ ହଲିଉଡକୁ ମାର୍ଚ୍ଚ ମାସ ଅଶୁଭ ବୋଲି କିଛି ଫ୍ୟାନ୍ସ ଟ୍ବିଟରରେ ଟ୍ୟାଗ କରିଥିଲେ ।