ହାଇଦ୍ରାବାଦ: ବଲିଉଡର ପଦ୍ମାବତୀ, ମସ୍ତାନୀ ଓ ଡିମ୍ପଲ ଗାର୍ଲ ଭାବେ ସେ ପରିଚିତ। ବି ଟାଉନର ଏହି ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ଦୀପିକା ପାଦୁକୋନ । 5 ଜାନୁୟାରୀ 1986ରେ ଜନ୍ମଗ୍ରହଣ କରିଥିବା ଏହି ବଲିଉଡର ଅଭିନେତ୍ରୀ ଆଜି 34 ବର୍ଷରେ ପାଦ ଥାପିଛନ୍ତି।
ଗୋଟିଏ ପଟେ ରିଲିଜ ଅପେକ୍ଷାରେ ଥିବା ଚଳଚ୍ଚିତ୍ର ଛପାକ ଓ ଅନ୍ୟପଟେ ବିବାହ ପରର ପ୍ରଥମ ବାର୍ଥ ଡେ ସେଲିବ୍ରେସନ । ଯାହାକୁ ନେଇ ଚଳିତ ବର୍ଷ ଏହି ଅଭିନେତ୍ରୀଙ୍କ ବାର୍ଥ ଡେ ବେଶ ଖାସ ରହିଛି । ଗତକାଲି ଦୀପିକା ତାଙ୍କର ଛପାକ ଟିମ ମେମ୍ବରଙ୍କ ସହ ପ୍ରି ବାର୍ଥ ଡେ ସେଲିବ୍ରେସନ କରିଛନ୍ତି । ଏବେ ବାକି ରହିଲା ବାଜିରାଓଙ୍କ ସହ ମସ୍ତାନୀଙ୍କ ଜନ୍ମଦିନ ପାଳନ।
ନିଜର କ୍ୟାରିୟର ଭିତରେ ଦୀପିକା ୩ଟି ଫିଲ୍ମଫେୟାର ପୁରସ୍କାର ସହ ୬ଟି ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ମଡେଲିଂରେ ଯୋଗଦେବାପରେ ସେ ୨୦୦୬ ରେ ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ଦୀପିକାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ଏକ କନ୍ନଡ଼ ଚଳଚ୍ଚିତ୍ର ଐଶ୍ବର୍ଯ୍ୟା ।
ଏହାପରେ ସେ ୨୦୦୭ରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନେତା ଶାହାରୁଖ ଖାଁଙ୍କ ଚଳଚ୍ଚିତ୍ର ଓମ୍ ଶାନ୍ତି ଓମ୍ରେ ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ଏହି ଅଭିନେତ୍ରୀ ଏବେ ସୁଦ୍ଧା 40ରୁ ଊର୍ଦ୍ଧ୍ବ ଚଳଚିତ୍ରରେ କାମ କରିସାରିଲେଣି। ଦୀପିକା ନିଜର ସୁନ୍ଦରତା ଓ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି।