ଭୁବନେଶ୍ବର: ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ଜଣାଶୁଣା ଗାୟିକା ତପୁ ମିଶ୍ର । ସମୟ ଗଡ଼ିବା ସହ ତାଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ବିଗିଡ଼ିବାରେ ଲାଗିଛି । ସେପଟେ ତାଙ୍କୁ ନେଇ ଚିନ୍ତିତ ସମସ୍ତେ । ତେଣୁ ତାଙ୍କର ଆରୋଗ୍ୟ ପାଇଁ ଓଡ଼ିଶାବାସୀଙ୍କୁ ଆଶୀର୍ବାଦ କରିବା ସହ ସକ୍ଷମ ଅନୁଯାୟୀ ସହାୟତାର ହାତ ବଢାଇବା ପାଇଁ ଅନୁରୋଧ କରିଛନ୍ତି ଓଡ଼ିଆ କଳାକାର । ଏବେ ସହାୟତାର ହାତ ବଢାଇଲେ ରାଜ୍ୟ ସଂସ୍କୃତି ବିଭାଗ । କଳାକାର କଲ୍ୟାଣ ପାଣ୍ଠିରୁ ଏକ ଲକ୍ଷ ଟଙ୍କା ଚିକିତ୍ସା ପାଇଁ ଦେଇଛନ୍ତି ।
ତପୁଙ୍କ ଚିକିତ୍ସା ନେଇ ରାଜ୍ୟ କଳାକାର ଓ୍ୱେଲଫେୟାର ଫଣ୍ଡ ପକ୍ଷରୁ ଏହି ସୟାହତା ଯୋଗାଇ ଦିଆଯାଇଛି । ତପୁ କୋରୋନାରୁ ସୁସ୍ଥ ହେବା ପରେ ଏବେ ଫୁସଫୁସ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । ଭୁବନେଶ୍ୱରର ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁନି ।
ସେପଟେ ତପୁଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦେବାକୁ ପରିବାର ଲୋକ ଅନୁରୋଧ କରିଛନ୍ତି । ସେତିକି ନୁହେଁ ତାଙ୍କର ସ୍ୱାସ୍ଥ୍ୟବସ୍ଥାର ସଠିକ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ଭଉଣୀ ଧୃତିଦୀପା ।
ତପୁ ମିଶ୍ର ଓଡ଼ିଶାର ଜଣେ ଭର୍ସାଟାଇଲ ପ୍ଲେ- ବ୍ୟାକ୍ ସିଙ୍ଗର ଭାବେ ବେଶ ପରିଚିତ । ପନ୍ଦର ବର୍ଷ ହୋଇଥିବା ବେଳେ ତପୁ ଆରମ୍ଭ କରିଥିଲେ କ୍ୟାରିଅର୍ । ସେହିଠାରୁ ତାଙ୍କର କଣ୍ଠଶିଳ୍ପୀ ଜୀବନର ସଫଳ ଯାତ୍ରା ଆଗକୁ ବଢ଼ିଚାଲିଛି ।
ଏଯୁଗର କୃଷ୍ଣ ସୁଦାମା, ମାତୃଶକ୍ତି, ଯେ ପାଞ୍ଚେ ପରମନ୍ଦ, ଆଇ ଲଭ୍ ୟୁ ଓ ଚକୋଲେଟ ଭଳି ବହୁ ଫିଲ୍ମରେ ସେ ହିଟ୍ ଗୀତ ଗାଇଛନ୍ତି । ଆଇ ଲଭ୍ ୟୁ ଫିଲ୍ମରେ ସେ ପାଇଥିଲେ ଢେରସାରା ପ୍ରଶଂସା । ଆରେ ନା.. ବଜାନା ବଂଶୀ, ଏହି ଗୀତ ତାଙ୍କୁ ଆଣିଦେଇଥିଲା ପ୍ଲେ-ବ୍ୟାକ୍ ସିଙ୍ଗରର ପ୍ରସିଦ୍ଧି । ସେ ସମ୍ବଲପୁରୀ ଭାଷାରେ ଅନେକ ଗୀତ ଗାଇଛନ୍ତି । କିଛି ଗୀତରେ ସେ ନିଜେ ନିର୍ଦ୍ଦେଶନା ବି ଦେଇଛନ୍ତି ।
ପ୍ରକାଶ ଥାଉକି, ଚାରିଥର ରାଜ୍ୟ ପୁରସ୍କାର ପାଇଛନ୍ତି ତପୁ ମିଶ୍ର । ତେଣୁ ତାଙ୍କ ଭଳି ଜଣେ କଳାକାରକୁ ସାହାଯ୍ୟ ସହାୟତା ସହ ଆଶୀର୍ବାଦ କାମନା କରି ତାଙ୍କ ସୁସ୍ଥତା ପାଇଁ ଭଗବାନଙ୍କୁ ଡାକିବା ପାଇଁ କହିଛନ୍ତି ଭଉଣୀ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ