ହାଇଦ୍ରାବାଦ: ଶେଷରେ ବିବାଦୀୟ ମିମି ପାଇଁ କ୍ଷମା ମାଗିଲେ ଅଭିନେତା ବିବେକ ଓବରୟ । ଟ୍ବିଟରରେ ମିମିକୁ ଡିଲିଟ କରିବା ସହ ସମସ୍ତ ମହିଳାଙ୍କୁ କ୍ଷମା ମାଗିଲେ । ପ୍ରଥମେ ଏକ ଟ୍ବିଟ କରି ନିଜ ବିଷୟରେ ସଫେଇ ଦେଇଥିଲେ ଓ ପରେ କ୍ଷମାପ୍ରାର୍ଥନା କରିଥିଲେ ।


ବେଳେବେଳେ ଯାହା ଜଣକୁ ମଜାଦାର ଲାଗେ ତାହା ଅନ୍ୟମାନଙ୍କୁ ଅସମ୍ମାନିତ ଲାଗେ ବୋଲି କହିଛନ୍ତି ବିବେକ ଓବରୟ । ‘10ବର୍ଷ ହେବ ମହିଳା ସଶକ୍ତିକରଣ ପାଇଁ ମୁଁ କାର୍ଯ୍ୟ କରିଆସୁଛି ଓ ପ୍ରାୟ 2000 ମହିଳାଙ୍କ ସଶକ୍ତିକରଣ ପାଇଁ କାର୍ଯ୍ୟ କରିଛି ’ ବୋଲି ଟ୍ବିଟ କରିଛନ୍ତି ବିବେକ । ପରେ ରି-ଟ୍ବିଟ କରି କ୍ଷମା ପ୍ରାର୍ଥନା କରିବା ସହ ମିମି ଡିଲିଟ କରିଥିବାର ସୂଚନା ଦେଇଥିଲେ ।

ଗତକାଲି ଅଭିନେତା ବିବେକ ଓବରୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଗୋଟିଏ ମିମି ସେୟାର କରିଥିଲେ, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ସେଥିରେ ତିନୋଟି ଫଟୋ ନଜର ଆସିଛି ।
ପ୍ରଥମ ଫଟୋରେ ସଲମାନ- ଐଶ ନଜର ଆସି ଓପିନିଅନ ପୋଲ ଲେଖାଯାଇଥିବାବେଳେ ଦ୍ବିତୀୟ ଫଟୋରେ ଐଶଙ୍କ ସହ ନଜର ଆସିଥିଲେ ନିଜେ ବିବେକ, ଆଉ ଫଟୋରେ ଲେଖାଯାଇଛି ଏକଜିଟ ପୋଲ । କିନ୍ତୁ ଓପିନିଅନ ପୋଲ ଓ ଏକଜିଟ ପୋଲଠାରୁ ସତ୍ୟତା କିଛି ଭିନ୍ନ ହୋଇଥିବା ଦର୍ଶାଇ ତୃତୀୟ ଫଟୋରେ ଐଶଙ୍କ ସହ ନଜର ଆସିଥିଲେ ସ୍ବାମୀ ଅଭିଶେକ ଓ ଝିଅ ଆରାଧ୍ୟା ।
ଆଉ ତାପରେ ଫଟୋ ଦେଖି ବି-ଟାଉନଠାରୁ ଆରମ୍ଭ କରି ମହିଳା କମିଶନରେ ଚାଲିଲା ଚର୍ଚ୍ଚା । କିଛି ସିନେଷ୍ଟାର ଐଶଙ୍କ ସମର୍ଥନ କରି ବିବେକଙ୍କୁ ଶୁଣାଇଥିଲେ ଅନେକ କିଛି । ଏହାପରେ ବିବେକ ବି କୋଉ ଚୁପ ବସିବେ । ସୋନମଙ୍କୁ ଫିଲ୍ମରେ ଓଭର ଆକ୍ଟିଂ ନକରିବା ପାଇଁ ଉପଦେଶ ଦେଇଥିଲେ ।
ତେବେ ଐଶଙ୍କ ମିମି ଡିଲିଟ କରିଥିଲେ ବି ସୋନମଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଏ ଯାଏଁ କ୍ଷମା ମାଗିନାହାଁନ୍ତି ବିବେକ ।