ମୁମ୍ବାଇ: କିଛି ଦିନ ଧରି ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି ବଲିଉଡ଼ ଷ୍ଟାର ବିକି କୌଶଲ ଓ କ୍ୟାଟ୍ରିନା କୈଫ । ବର୍ତ୍ତମାନ ଦିୱାଲି ସଗୁନକୁ ନେଇ ପୁଣି ଚର୍ଚ୍ଚାରେ ୨ ଷ୍ଟାର । ବିକିଙ୍କ ମା' ବିନା କୌଶଲ କ୍ୟାଟ୍ରିନାଙ୍କୁ ସଗୁନ ପଠାଇଥିବା ଚର୍ଚ୍ଚା ହେଉଛି । ଏଥିରେ କ୍ୟାଟ୍ରିନାଙ୍କ ମନପସନ୍ଦ ଜିନିଷ ରହିଥିବା ବେଳେ ଏହାକୁ ନିଜ ହାତରେ ବିନା ତିଆରି କରିଥିବା ଜଣାପଡ଼ିଛି ।
ଚଳିତ ବର୍ଷ ଦିୱାଲି କ୍ୟାଟଙ୍କ ପାଇଁ ରହିଥିଲା ବେଶ ଖାସ୍ । କାରଣ ଥିଏଟରରେ ଫିଲ୍ମ 'ସୂର୍ଯ୍ୟବଂଶୀ' ରିଲିଜ ହୋଇଥିବା ବେଳେ ସେପଟେ ଡିସେମ୍ବରରେ ବିକିଙ୍କୁ ବିବାହ କରିବାକୁ ଯାଉଛନ୍ତି କ୍ୟାଟ୍ । ଏହାରି ମଧ୍ୟରେ ବିକିଙ୍କ ମା' ବିନା ଦିୱାଲି ସଗୁନ ପଠାଇ କ୍ୟାଟ୍ଙ୍କ ଦିୱାଲି ସେଲିବ୍ରେସନକୁ କରିଛନ୍ତି ଆହୁରି ଖାସ୍ । ତେବେ ଭାରତୀୟ ପରମ୍ପରା ଅନୁଯାୟୀ ଭାବି ବୋହୂ କିମ୍ବା ଜ୍ବାଇଁଙ୍କ ପାଇଁ ଦିୱାଲି ସଗୁନ ପଠାଯାଏ । ତେବେ ବାହାଘର ତାରିଖ ଧାର୍ଯ୍ୟ ପରେ ଏହି ପରମ୍ପରା ପାଳିତ ହୁଏ । କ୍ୟାଟ୍ରିନାଙ୍କ ପାଇଁ ବିକିଙ୍କ ଘରୁ ଏହି ସଗୁନ ଯାଇଥିଲା ବୋଲି ସୂଚନା ମିଳିଛି ।
ଏହି ସଗୁନରେ ହ୍ୟାଣ୍ଡମେଡ ଚକୋଲେଟ ସହିତ କ୍ୟାଟ୍ରିନାଙ୍କ ବହୁ ପସନ୍ଦର ଜିନିଷ ରହିଥିଲା । ଏଥିରେ ଭାରତୀୟ ମିଠା ସହିତ ଶାଢୀ ଓ ଅଳଙ୍କାର ରହିଥିଲା । ବିକି କ୍ୟାଟ୍ରିନାଙ୍କୁ ତାଙ୍କ ଫେଭରେଟ ଡାର୍କ ଚକୋଲେଟ ଦେଇ ପ୍ରପୋଜ କରିଥିଲେ ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା । କ୍ୟାଟଙ୍କ ଘନିଷ୍ଠ ସୂତ୍ରରୁ ପ୍ରକାଶ ଯେ ବିକି ବହୁତ ରୋମାଣ୍ଟିକ ଥିବା ବେଳେ ସେ କ୍ୟାଟ୍ଙ୍କ ମିଠା ସ୍ବଭାବକୁ ଖୁବ ପସନ୍ଦ କରନ୍ତି । ମହାମାରୀ ଓ ଲକଡାଉନ ସମୟରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା ବୋଲି ସୂଚନା ମିଳିଛି ।
ତେବେ କିଛି ରିପୋର୍ଟ ଅନୁସାରେ, କ୍ୟାଟ୍ରିନା ମହାରାଣୀ ଷ୍ଟାଇଲରେ ବିବାହ କରିବାକୁ ଚାହୁଁଛନ୍ତି । ଏହାସହିତ ପାରମ୍ପରିକ ଅଳଙ୍କାର ପରିଧାନ କରିବାକୁ ଚାହୁଁଛନ୍ତି । କ୍ୟାଟ୍ଙ୍କୁ ରାଜସ୍ଥାନୀ ପରମ୍ପରା ଖୁବ ପସନ୍ଦ ଥିବା ବେଳେ ସେ ଏହି ପରମ୍ପରା ଅନୁଯାୟୀ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।