ମୁମ୍ବାଇ: ଥମୁନି ତାଣ୍ଡବ ବିବାଦ । ବିବାଦ ଘେରରେ ଆମାଜନ୍ ପ୍ରାଇମରେ ରିଲିଜ୍ ହୋଇଥିବା ୱେବ ସିରିଜ୍ 'ତାଣ୍ଡବ' । ତାଣ୍ଡବର କିଛି ସିନକୁ ନେଇ ଦର୍ଶକମାନେ ସୋସିଆଲ ମିଡିଆରେ ଉତ୍ତେଜନା ସୃଷ୍ଟି କରୁଛନ୍ତି । ଗତ କିଛିଦିନ ତଳେ ଉତ୍ତରପ୍ରଦେଶରେ ୱେବ୍ ସିରିଜ୍ ‘ତାଣ୍ଡବ’ର ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜଫରଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରାଯାଇଥିଲା । ଏହାକୁ ନେଇ ବର୍ତ୍ତମାନ ଉତ୍ତର ପ୍ରଦେଶ ପୋଲିସ ନିର୍ଦ୍ଦେଶକ ଅଲ୍ଲୀ ଅବାସଙ୍କ ଘରେ ଏକ ନୋଟିସ୍ ଲଗାଇଛି ।
ଏହି ନୋଟିସରେ ଅଲ୍ଲୀଙ୍କୁ 27 ଜାନୁଆରୀରେ ହାଜର ହେବାକୁ କୁହାଯାଇଛି । ଉତ୍ତରପ୍ରଦେଶ ପୋଲିସ ଅଧିକାରୀ ଅନିଲ କୁମାର ସିଂ କହିଛନ୍ତି ଯେ, ଆମେ ତାଙ୍କୁ ଜାନୁଆରୀ 27ରେ ଲକ୍ଷ୍ନୌରେ ଆଇଓ (ଇନଭେଷ୍ଟିଗେଟିଙ୍ଗ ଅଫିସର)ଙ୍କ ନିକଟରେ ହାଜର ହେବାକୁ କହିଛୁ । ତାଙ୍କ ଘର ବନ୍ଦ ଥିଲା ଏବଂ ସେଠାରେ କେହି ନଥିଲେ, ତେଣୁ ଆମେ ସେଠାରେ ନୋଟିସ୍ ଲଗାଇଛୁ ।
ଏହି ଘଟଣାରେ ବୁଧବାର ସକାଳେ ଉତ୍ତରପ୍ରଦେଶ ପୋଲିସର ଏକ ଚାରିଜଣିଆ ଟିମ୍ ଘଟଣାର ତଦନ୍ତ ପାଇଁ ମୁମ୍ବାଇରେ ପହଞ୍ଚିଥିଲେ ।
ସୂଚନା ଥାଉକି, ସିରିଜରେ ହିନ୍ଦୁଙ୍କ ଧାର୍ମିକ ଭାବନା ଓ ଦଳିତଙ୍କୁ କୁଠାରାଘାତ ପହଞ୍ଚିବା ଭଳି ବିଷୟବସ୍ତୁ ରହିଥିବା ଅଭିଯୋଗ ଆଣିଛନ୍ତି ରାମ କଦମ, ନନ୍ଦକିଶୋର ଗୁର୍ଜର, ମନୋଜ କୋଟାକ ,କପିଲ ମିଶ୍ରା ଆଦି ଅନେକ ନେତାମନ୍ତ୍ରୀ । ସିରିଜଟି ପ୍ରଖ୍ୟାତ ନିର୍ଦ୍ଦେଶକ ଅଲ୍ଲୀ ଆବ୍ବାସ ଜାଫରଙ୍କ ଦ୍ବାରା ନିର୍ଦ୍ଦେଶିତ ଓ ଗୌରବ ସୋଲାଙ୍କିଙ୍କ ଦ୍ବାରା ଲେଖାଯାଇଥିବାବେଳେ ଗତ 15 ତାରିଖରେ ଓଟିଟି ପ୍ଲାଟଫର୍ମରେ ହୋଇଥିଲା ରିଲିଜ । ତେବେ ଏଥିରେ ଅଭିନେତା ମହମ୍ମଦ ଜିଶାନ ଆୟୁବ ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରିଥିବାବେଳେ ଏବେ ସୋସିଆଲ ମିଡିଆରେ ବ୍ୟାନ ପାଇଁ ଟ୍ରେଣ୍ଡ କରୁଛି ଅନେକ ହ୍ୟାସଟ୍ୟାଗ ।