ମୁମ୍ବାଇ: ଗତ ବର୍ଷ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିବା ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତଥା ଲେଖିକା-ନିର୍ଦ୍ଦେଶିକା ତାହିରା କଶ୍ୟପ ଏବେ ବିବାଦ ଘେରରେ ଆସିଯାଇଛନ୍ତି । ସେ ନିକଟରେ ସୋସିଆଲ ମିଡିଆରେ ଏମିତି ଏକ ଫଟୋ ସେୟାର କରିଥିଲେ, ଯାହା ଦ୍ବାରା ଲୋକଙ୍କ ଧାର୍ମିକ ଭାବନାକୁ ଆହତ ଲାଗିଛି । ବର୍ତ୍ତମାନ ତାଙ୍କ ଫଟୋକୁ ଆଧାର କରି ସୋସିଆଲ ମିଡିଆ ୟୁଜର୍ସ ତାଙ୍କୁ ଯାହା ନାହିଁ ତାହା ଶୁଣିବାରେ ଲାଗିଛନ୍ତି । ଟ୍ରୋଲର୍ସଙ୍କ ଶିକାର ହେବାର ପରେ ତାହିର ନିଜ ଭୁଲ ବୁଝିପାରି କ୍ଷମା ମାଗିଛନ୍ତି ।
କଥାଟି ହେଲା କି ନିକଟରେ ସେ ଇନଷ୍ଟାଗ୍ରାମରେ ଭଗବାନ ବୁଦ୍ଧଙ୍କ ମୂର୍ତ୍ତି ଉପରେ ବସି ଫଟୋ ପୋଷ୍ଟ କରିବା ପାଇଁ ଟ୍ରୋଲ ହୋଇଛନ୍ତି । ଏବେ କିନ୍ତୁ ସେ ୟୁଜର୍ସଙ୍କୁ କ୍ଷମା ମାଗିଛନ୍ତି । ତାଙ୍କ ଫଟୋ ଭାଇରାଲ ହେବା ମାତ୍ରେ ସୋସିଆଲ ମିଡିଆ ୟୁଜର୍ସ ଖୁବ୍ ରାଗିଯାଇଥିଲେ ଏବଂ ତାଙ୍କ ଫଟୋରେ ନକାରାତ୍ମକ ପ୍ରତିକ୍ରିୟା ଦେଇ ତାଙ୍କୁ ଟ୍ରୋଲ କରିଥିଲେ ।
ଅନ୍ୟପଟେ ତାହିରା କ୍ଷମା ମାଗି ଲେଖିଛନ୍ତି, "ମୁଁ କେବେ ମଧ୍ୟ କାହା ପାଇଁ ଦୁଃଖ କିମ୍ବା ଯନ୍ତ୍ରଣାର କାରଣ ହେବାକୁ ଚାହୁଁନାହିଁ । ଅଜାଣତରେ କିଛି ଲୋକଙ୍କୁ ଦୁଃଖ ଦେଇଥିବାରୁ ମୁଁ କ୍ଷମା ମାଗୁଛି । ସମସ୍ତଙ୍କ ପାଇଁ ପ୍ରେମ ଏବଂ ଶାନ୍ତିର କାମନା କରୁଛି ।" ଏହି ପୋଷ୍ଟଟିକୁ ତାହିରା ଟ୍ବିଟର ଏବଂ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।