ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ଆତ୍ମହତ୍ୟା ପଛର କାରଣ ଜାଣିବା ପାଇଁ ପୋଲିସ ନିରନ୍ତର ପ୍ରୟାସ ଜାରି ରଖିଛି । ସୁଶାନ୍ତଙ୍କ ପିତା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିବା ପରେ ପୋଲିସ ତଦନ୍ତରେ ଅନେକ ଖବର ସାମ୍ମନାକୁ ଆସୁଛି ।
ସୂଚନାନୁସାରେ, ସୁଶାନ୍ତଙ୍କ ଭଉଣୀ ମିତୁ ସିଂ ବିହାର ପୋଲିସଙ୍କୁ 9 ଜୁନ୍ ରୁ 12 ଜୁନ୍ ପର୍ଯ୍ୟନ୍ତର ସମ୍ପୂର୍ଣ୍ଣ କାହାଣୀ କହିଛନ୍ତି ।
ମିତୁ ପୋଲିସକୁ କହିଛନ୍ତି ଯେ, ଜୁନ୍ 8 ସନ୍ଧ୍ୟାରେ ସୁଶାନ୍ତ ଫୋନ କରି ମତେ ତାଙ୍କର ଏବଂ ରିୟାଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ବିଷୟରେ କହିଥିଲେ । ଏହା ପରେ ମୁଁ ସୁଶାନ୍ତଙ୍କ ପାଖକୁ ବାନ୍ଦ୍ରା ଯାଇଥିଲି ।
ସୁଶାନ୍ତ କହିଥିଲେ, ରିୟା ନିଜ ଘରୁ ସମସ୍ତ ଜିନିଷ ପତ୍ର ନେଇ ପଳାଇଛନ୍ତି ଏବଂ ବୋଧହୁଏ ସେ ସେଠାକୁ ଆଉ କେବେ ଫେରିବେନି । ଏହି କଥା ଶୁଣି ସୁଶାନ୍ତ ଅତ୍ୟନ୍ତ ଦୁଃଖିତ ଏବଂ ବିବ୍ରତ ହୋଇଯାଇଥିଲେ ।
ମୁଁ ସୁଶାନ୍ତଙ୍କ ପାଖରେ ସେଠାରେ ଚାରି ଦିନ ରହି ତାଙ୍କୁ ବହୁତ ବୁଝାଇଥିଲି ଏବଂ 12 ଜୁନ୍ ରେ ମୁଁ ବାନ୍ଦ୍ରାରୁ ନିଜ ଘରକୁ ଫେରିଥିଲି । ମୁଁ କେବେ ସ୍ୱପ୍ନରେ ମଧ୍ୟ ଭାବି ନ ଥିଲି ଯେ ସୁଶାନ୍ତ ଏଭଳି ପଦକ୍ଷେପ ନେବେ ।
ଖବର ଅନୁଯାୟୀ, ସୁଶାନ୍ତ ଏବଂ ରିୟା ପ୍ରାୟ ଦେଢ ବର୍ଷ ଧରି ରିଲେସନସିପରେ ଥିଲେ । ସୁଶାନ୍ତ ମୁମ୍ବାଇ ବାନ୍ଦ୍ରାରେ ଏକ ଆପାର୍ଟମେଣ୍ଟରେ ଭଡାରେ ରହୁଥିଲେ । ଲକଡାଉନରେ ରିୟା ସୁଶାନ୍ତଙ୍କ ସହ ରହୁଥିଲେ । କିନ୍ତୁ ଜୁନ୍ 8 ରେ ରିୟା ସୁଶାନ୍ତଙ୍କୁ ଛାଡି ପଳାଇଥିଲେ ଏବଂ ଜୁନ୍ 14 ରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ ।
ପ୍ରକାଶ ଥାଉ କି, ସୁଶାନ୍ତଙ୍କ ପିତା କେ.କେ ସିଂ ରିୟା ଚକ୍ରବର୍ତ୍ତୀ, ତାଙ୍କ ପିତା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ, ମାତା ସନ୍ଧ୍ୟା ଚକ୍ରବର୍ତ୍ତୀ, ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ