ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ତାଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିଆନଙ୍କ ଆତ୍ମହତ୍ୟା ଯାଞ୍ଚ ମଧ୍ୟ ଚର୍ଚ୍ଚାରେ । ସୁଶାନ୍ତଙ୍କ ଆତ୍ମହତ୍ୟା 6 ଦିନ ପୂର୍ବରୁ ଆତ୍ମହତ୍ୟା କରିଥିଲେ ଦିଶା । ଏହି ଦୁଇ ମାମଲାକୁ ସମ୍ପୃକ୍ତ କରି ସମସ୍ତେ କହୁଛନ୍ତି ଦୁଇଜଣଙ୍କ ଆତ୍ମହତ୍ୟାରେ କିଛି ନା କିଛି କନେକ୍ସନ ଅଛି । ଏପରି ଖବରରେ ବିରକ୍ତ ହୋଇ ଦିଶାଙ୍କ ବାପା-ମା' ଏବେ ମୌନ ବ୍ରତ ଭାଙ୍ଗିଛନ୍ତି ।
କଥାଟି ହେଲା ଯେ ନିକଟରେ ବିଜେପି ସାଂସଦ ନାରାୟଣ ରାଣେ ଅଭିଯୋଗ ଆଣିଥିଲେ ଯେ ଦିଶାଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ସହ ଗଣଦୁଷ୍କର୍ମ କରାଯାଇଥିଲା । ଯାହାପରେ ତାଙ୍କର ହତ୍ୟା ହୋଇଥିଲା। ରାଣେ ଏହି ଅଭିଯୋଗ ଦିଶାଙ୍କ ଅଟୋପ୍ସି ରିପୋର୍ଟକୁ ଆଧାର କରି ଆଣିଥିଲେ । ଏହି ମାମଲାରେ ଦିଶାଙ୍କ ବାପା-ମା' କହିଛନ୍ତି ଯେ ତାଙ୍କ ଝିଅଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି । ଦୁଇଜଣଙ୍କ ଏକ ସାକ୍ଷାତକାରରେ ଯୋଗ ଦେଇ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ।
ଆଉ କହିଥିଲେ, ‘ନିଜ ଫାଇଦା ପାଇଁ ଆମ ଝିଅକୁ ବଦନାମ କରନ୍ତୁ ନାହିଁ । ତାଙ୍କ ମୃତ୍ୟୁ ସହ ଖେଳନ୍ତୁ ନାହିଁ । ସେ ଆମର ଏକମାତ୍ର ସନ୍ତାନ ଥିଲେ । ଯାହାକୁ ଆମେ ହରାଇସାରିଛୁ । ଏବେ ଲୋକ ଦିଶାଙ୍କ ଛବିକୁ ଖରାପ କରିବାରେ ଲାଗିଛନ୍ତି । ଏପରି ଆମର ଶୋଷଣ କରି ଆମକୁ ମଧ୍ୟ ମାରି ଦେବାକୁ ଚାହୁଁଛନ୍ତି ସମସ୍ତେ । ଆମେ ଭାରତବାସୀ, ସବୁ ମିଡିଆ, ସୋସିଆଲ ମିଡିଆ ଓ ଅନ୍ୟଙ୍କୁ କହିବାକୁ ଚାହୁଁଛୁ ଯେ ସବୁ ଅଭିଯୋଗ ଭୁଲ । ସବୁ ଖବର ମିଥ୍ୟା ଏବଂ ଫର୍ଜି । ଏଥିରେ କୌଣସି ବାସ୍ତବତା ନାହିଁ ।’