ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ଏଯାବତ 35 ଜଣଙ୍କ ବୟାନ ରେକର୍ଡ କରିସାରିଲାଣି । ଫେମସ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ପଚରାଉଚରା ପରେ ନିର୍ମାତା ଶେଖର କପୁରଙ୍କ ବୟାନ ରେକର୍ଡ କରିଥିଲା ପୋଲିସ। ସୁଶାନ୍ତଙ୍କ ମୃତ୍ୟୁ ପରଠୁ ସେ ତାଙ୍କ ଉପରେ ଅନେକ ଟ୍ବିଟ କରି ଚର୍ଚ୍ଚାରେ ଆସିଛନ୍ତି। ପୋଲିସ ଶେଖରଙ୍କ ବୟାନ ରେକର୍ଡ କରିବାର କାରଣ ହେଲା ଯେ ସେ ନିଜ ଫିଲ୍ମ ‘ପାନି’ରେ ସୁଶାନ୍ତଙ୍କୁ ସାଇନ କରାଇଥିଲେ । ହେଲେ କିଛି ପ୍ରଡକ୍ସନ ହାଉସ ପାଇଁ ସୁଶାନ୍ତଙ୍କୁ ଏହି ଫିଲ୍ମରୁ ବାହାର କରିଦିଆଯାଇଥିଲା । ଯାହାର ସଠିକ୍ କଥା ଜାଣିବାକୁ ଚାହୁଁଥିଲା ପୋଲିସ।
ସେ ନିକଟରେ ଇ-ମେଲ ଜରିଆରେ ନିଜ ବୟାନ ଦେଇଥିଲେ । ଯେଉଁଥିରେ ଅନେକ କଥା ଉପରୁ ପରଦା ଉଠିଛି । ସେ ବୟାନରେ ଜଣାଇଥିଲେ ଯେ ତାଙ୍କ ଫିଲ୍ମ ‘ପାନି’ ପାଖାପାଖି 10 ବର୍ଷରୁ ଫସିକି ଥିଲା । 2012-13ରେ 150 କୋଟିର ଏହି ମେଗା ବଜେଟ ଫିଲ୍ମ କରିବା ପାଇଁ ସେ ୟଶରାଜ ଫିଲ୍ମସ୍ ମାଲିକ ଆଦିତ୍ୟ ଚୋପ୍ରାଙ୍କ ସହ ସାକ୍ଷାତ କରିଥିଲେ । ଆଉ ସ୍ତିର ହୋଇଥିଲା 2014ରେ ଏହି ଫିଲ୍ମ ୟଶରାଜ ବ୍ୟାନରେ ନିର୍ମାଣ ହେବ ।
ସେହିପରି ଫିଲ୍ମ କାଷ୍ଟ ପାଇଁ ତାଙ୍କ ସାକ୍ଷାତ ସୁଶାନ୍ତଙ୍କ ସହ ୟଶରାଜ ଷ୍ଟୁଡିଓରେ ହୋଇଥିଲା । ଯାହାପରେ ୟଶରାଜ ଫିଲ୍ମସ ପ୍ରି-ପ୍ରଡକ୍ସନ କାମ ଆରମ୍ଭ କରିଥିଲା । ଏହି କାର୍ଯ୍ୟରେ 5 କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଥିଲା । ସୁଶାନ୍ତଙ୍କ ଡେଟକୁ ମଧ୍ୟ ବ୍ଲାକ କରାଯାଇଥିଲା । ଯାହାପାଇଁ କଡା ପରିଶ୍ରମ ଆରମ୍ଭ କରିଥିଲେ ସେ । ‘ପାନି’ ଫିଲ୍ମ ପାଇଁ ସେ ଅନେକ ପ୍ରଜୋକ୍ଟ ମଧ୍ୟ ଛାଡିଦେଇଥିଲେ ।
ହେଲେ ଫିଲ୍ମର କଣ୍ଟେଣ୍ଟକୁ ନେଇ ତାଙ୍କର ଆଦିତ୍ୟଙ୍କ ସହ କିଛି ମତଭେଦ ହୋଇଥିଲା । ଯାହାପରେ ଫିଲ୍ମର କାର୍ଯ୍ୟକୁ ବନ୍ଦ କରିଦିଆଯାଇଥିଲା । ଏହି ସୂଚନା ସୁଶାନ୍ତଙ୍କୁ ମିଳିବା ପରେ ସେ ଭାଙ୍ଗିପଡିଥିଲେ । ସେହି ଦିନ ସନ୍ଧ୍ୟାରେ ସେ ତାଙ୍କ ପାଖକୁ ଆସି ବହୁତ କାନ୍ଦିଥିଲେ । ଏହାପରେ ସେ ଡିପ୍ରେସନରେ ଶିକାର ହୋଇଥିଲେ । ୟଶରାଜ ଫିଲ୍ମସ ହଟିଯିବା ପରେ ସେ ଅନେକ ପ୍ରଡକ୍ସନ ହାଉସର ଦ୍ବାରସ୍ଥ ହୋଇଥିଲେ । ହେଲେ କୌଣସି ଲାଭ ମିଳିନଥିଲା । ‘ପାନି’ ଫିଲ୍ମ ହିଁ ସୁଶାନ୍ତଙ୍କ ବ୍ୟକ୍ତିଗତ ଜୀବନରେ କାଳ ସାଜିଥିଲା । ସେ ଜଣେ ଆକ୍ଟର ଥିଲେ ଯିଏ ଇଣ୍ଡଷ୍ଟ୍ରିର ବିଜନେସକୁ ବୁଝିପାରିନଥିଲେ ବୋଲି ବୟାନରେ କହିଥିଲେ ଶେଖର।