ମୁମ୍ବାଇ: କିଛି ଦିନ ପୂର୍ବରୁ ସୁପରଷ୍ଟାର ସଲମାନ ଖାନ ଓ ଦିଶା ପଟାନୀଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ’ରେ ରିଲିଜ ତାରିଖ ଘୋଷଣା କରି ଫ୍ୟାନ୍ସଙ୍କୁ ଖୁସ୍ କରିଦେଇଥିଲେ ମେକର୍ସ । କାରଣ ଚଳିତ ବର୍ଷ ଇଦ ତଥା ମେ 15ରେ ହଲରେ ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ । ହେଲେ ଏବେ ଲାଗୁଛି ହୁଏତଃ ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇପାରନ୍ତି ମେକର୍ସ । କାରଣ ଦେଶରେ ବଢୁଥିବା କୋରୋନାର ଦ୍ବିତୀୟ ଲହରୀ ପାଇଁ ଧିରେ ଧିରେ ଅନେକ ନିର୍ମାତା ନିଜ ନିଜ ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇବାରେ ଲାଗିଛନ୍ତି ।
କିଛି ଦିନ ପୂର୍ବରୁ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ରିଲିଜ ତାରିଖ ସ୍ଥିଗତ ରଖାଯାଇଥିଲା । ସେହିପରି ଅମିତାଭ ବଚ୍ଚନ ଓ ଇମ୍ରାନ ହାସମୀଙ୍କ ଫିଲ୍ମ ‘ଚେହେରେ’ ଓ ୟଶରାଜ ଫିଲ୍ମସର ‘ବଣ୍ଟି ଔର ବବଲି 2’ର ମଧ୍ୟ ରିଲିଜ ତାରିଖ ଘୁଞ୍ଚାଇଛନ୍ତି ମେକର୍ସ ।
ଖାଲି ଏତିକି ନୁହେଁ ମହାରାଷ୍ଟ୍ରରେ ପୁଣି ଥରେ ରାତ୍ରି କର୍ଫ୍ୟୁ ସହିତ ପ୍ରେକ୍ଷାଳୟ ବନ୍ଦ କରାଯାଇଛି । ଏହି ସମୟରେ ଯେକୌଣସି ରିଲିଜର ବକ୍ସ ଅଫିସ୍ ନମ୍ବରକୁ ସିଧାସଳଖ ପ୍ରଭାବିତ କରିବ । ବଢୁଥିବା ମାମଲା ମଧ୍ୟରେ ଫିଲ୍ମ ରିଲିଜ କରିବା ମେକର୍ସଙ୍କୁ କୌଣସି ଲାଭ ଦେବନାହିଁ ।
ସେପଟେ ଓଟିଟିରେ ‘ରାଧେ’ ମଧ୍ୟ ରିଲିଜ ହେବନି । କାରଣ ଖାନଙ୍କ ଫିଲ୍ମ ଗୁଡ଼ିକ ପ୍ରାୟତଃ ଥିୟଟରରେ ରିଲିଜ ହୁଏ । 100 ପ୍ଲସ୍ କୋଟି ଆୟ କରୁଥିବା ଫିଲ୍ମର କୌଣସି ସମାନତା ଷ୍ଟ୍ରିମିଂ ପ୍ଲାଟଫର୍ମରେ ନାହିଁ । ଏଥିପାଇଁ ଏବେଠୁ କଳ୍ପନାଜଳ୍ପନା କରାଯାଉଛି ଯେ ଏବର୍ଷ ଇଦ ମଧ୍ୟ ସଲମାନଙ୍କ ଫିଲ୍ମ ବିନା ପାଳନ କରିବେ ଦର୍ଶକ ।