ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ଜନ୍ମଦିନକୁ ସବୁ ବର୍ଷ ଅନାଇଥାନ୍ତି ଫ୍ୟାମିଲି ମେମ୍ବରଠୁ ନେଇ ଫ୍ୟାନ୍ସ । ଡିସେମ୍ବର 27ରେ ସମସ୍ତେ ସେଲିବ୍ରେଟ କରନ୍ତି ତାଙ୍କ ଜନ୍ମଦିନ । ଆଉ ସେ ନିଜେ ମଧ୍ୟ ଫାର୍ମହାଉସରେ ଶାନଦାର ପାର୍ଟିର ଆୟୋଜନ କରନ୍ତି । ଏଥର 55 ବର୍ଷରେ ପାଦ ଥାପିବାକୁ ଯାଉଛନ୍ତି ଭାଇଜାନ । ହେଲେ ଲାଗୁଛି ଏବର୍ଷ ସେ ନିଜ ଜନ୍ମଦିନ ପାଳନ କରିବେ ନାହିଁ ।
ଚର୍ଚ୍ଚା ଜୋର ଧରିଛି ଯେ ଜୀବନରେ ପ୍ରଥମଥର ସଲମାନ ଜନ୍ମଦିନ ପାଳନ କରିବେନି । ସେ ନିଜ ଫାର୍ମହାଉସରେ ମଧ୍ୟ କୌଣସି ପ୍ରକାରର ପାର୍ଟିର ଆୟୋଜନ କରିବେ ନାହିଁ । ଯାହା ଫ୍ୟାନ୍ସଙ୍କ ପାଇଁ ନୈରାଶ୍ୟଜନକ ଖବର । ତେବେ ଆସନ୍ତୁ ଜାଣିବା ଏହାର କାରଣ...
କଥାଟି ହେଲା ଯେ ବର୍ତ୍ତମାନ ସେ ନିଜର ଆଗାମୀ ଫିଲ୍ମ ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି । ଆଉ ଡିସେମ୍ବର 27ରେ ସେ ଫିଲ୍ମର ଶେଷ ସିଡ୍ୟୁଲ ସୁଟିଂ କରିବେ । ପୂର୍ବରୁ କୁହାଯାଉଥିଲା ଯେ ସେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏବର୍ଷ ଛୋଟ ପାର୍ଟି ଦେବେ । ହେଲେ ଏବେ ଏହା ମଧ୍ୟ ସମ୍ଭବ ଲାଗୁନାହିଁ । ସେ ଚାହୁଁଛନ୍ତି ଠିକ୍ ସମୟରେ ତାଙ୍କ ଫିଲ୍ମର ସୁଟିଂ ଶେଷ ହେଉ ବୋଲି ।
ପ୍ରକାଶ ଥାଉକି ଏବେ ନିର୍ମାତା, ଅଭିନେତା ମହେଶ ମାଞ୍ଜରେକରଙ୍କ ଅପକମିଂ ଫିଲ୍ମ ‘ଅନ୍ତିମ’ ସୁଟିଂରେ ବ୍ୟସ୍ତ ଅଛନ୍ତି । ଯେଉଁଥିରେ ସେ ଭିଣୋଇ ତଥା ଅଭିନେତା ଆୟୁଷ ଶର୍ମାଙ୍କ ସହ ପ୍ରଥମଥର ନଜର ଆସିବେ । ଫିଲ୍ମରେ ସଲମାନ ଜଣେ ଶିଖ୍ ପୋଲିସ ଭୂମିକାରେ ଅଭିନୟ କରୁଥିବାର ବେଳେ ଆୟୁଷ ଜଣେ ଗ୍ୟାଙ୍ଗଷ୍ଟାର ରୂପେ ଦେଖାଯିବେ । ନଭେମ୍ବରରେ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ ମେକର୍ସ । ନିକଟରେ ସଲମାନ ଏହି ଫିଲ୍ମ ସୁଟିଂରେ ଯୋଗ ଦେଇଥିଲେ ।