ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନ ଏବର୍ଷ ଅନେକ ଫିଲ୍ମରେ ନଜର ଆସିବେ। ଏହି କ୍ରମରେ ଅଛି ତାଙ୍କ ଅଭିନୀତ ‘ଝୁଣ୍ଡ’, ‘ଚେହରେ’, ‘ମେ ଡେ’ ଭଳି ଫିଲ୍ମ । ଇତିମଧ୍ୟରେ ସୁପରଷ୍ଟାରଙ୍କ ହାତରେ ଲାଗିଛି ଆଉ ଏକ ଆକ୍ସନ, ଥ୍ରିଲର ଡ୍ରାମା ଫିଲ୍ମ । ଚର୍ଚ୍ଚା ଜୋର ଧରିଛି ଯେ 2002ରେ ରିଲିଜ ହୋଇଥିବା ‘ଆଖେଁ’ର ସିକ୍ବେଲ ଫିଲ୍ମ ଖୁବଶୀଘ୍ର ଆସିବାକୁ ଯାଉଛି । ଯେଉଁଥିରେ ଅମିତାଭଙ୍କ ସହ ନଜର ଆସିବେ ଅକ୍ଷୟ ଖାନ୍ନା, ସିଦ୍ଧାର୍ଥ ମଲହୋତ୍ରା ଓ ସୁନୀଲ ଗ୍ରୋଭର ।
ପ୍ରଥମ ଫିଲ୍ମରେ ଅକ୍ଷୟ କୁମାର, ଅର୍ଜୁନ ରାମପାଲ, ସୁସ୍ମିତା ସେନ, ପରେଶ ରାୱଲ ଓ ଆଦିତ୍ୟ ପଞ୍ଚୋଲି ଭଳି କଳାକାର ସହ ଦମଦାର ଅଭିନୟ କରିଥିଲେ ଅମିତାଭ । ‘ଆଖେଁ 2’ରେ ନିର୍ଦ୍ଦେଶକନା କରିବେ ଅଭିନୟ ଦେଓ । ଯିଏ ଫେମସ ଫିଲ୍ମ ‘ଦିଲ୍ଲୀ ବେଲି’ରେ ନିର୍ଦ୍ଦେଶନା ଦେଇଥିଲେ ।
ସେହିପରି ଫିଲ୍ମର ସୁଟିଂ ଆସନ୍ତା ମେ ମାସରେ ଆରମ୍ଭ କରିବେ ମେକର୍ସ । ବିଜୟ ସିଂ ରାଜପୁତ ଭୂମିକାରେ ଅମିତାଭଙ୍କ ପୁଣି ଦମଦାର ଅଭିନୟ ଏଥିରେ ଦେଖିବାକୁ ମିଳିବ । ଯାହା ଫିଲ୍ମର କାହାଣୀ ଆଗାକୁ ବଢାଇବ ।
ପ୍ରକାଶ ଥାଉକି ଅଜୟ ଦେବଗନଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଫିଲ୍ମ ‘ମେ ଡେ’ର ସୁଟିଂରେ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି ଅମିତାଭ । ଏହାର ସୁଟିଂ ଶେଷ କରି ସେ ‘ଆଖେଁ’ର କାମ ଆରମ୍ଭ କରିବେ ।