ମୁମ୍ବାଇ: କ୍ୟୁଟ ଆକ୍ଟର ଶାହିଦ କପୁରଙ୍କ ଆଗାମୀ ଚର୍ଚ୍ଚିତ ଫିଲ୍ମ ‘ଜର୍ସି’ରେ ନଜର ଆସିବେ ଅଭିନେତ୍ରୀ ମୃଣାଳ ଠାକୁର । ପୂର୍ବରୁ ସେ ପରଦାରେ ସୁପରଷ୍ଟାର ହ୍ରିତିକ ରୋଶନ, ଜନ ଅବ୍ରାହମ ଭଳି ଷ୍ଟାରଙ୍କ ସହ କାମ କରିସାରିଛନ୍ତି । ଏବେ ଶାହିଦଙ୍କ ସହ ରୋମାନ୍ସ କରିବେ ସେ । ଇତିମଧ୍ୟରେ ଫିଲ୍ମ ଚୟନ କରିବା ଉପରେ ଆଲୋଚନା କରି ଚର୍ଚ୍ଚାରେ ସେ । ସେ କୌଣସି କୋ-ଷ୍ଟାର ପାଇଁ ଫିଲ୍ମ ଚୟନ କରନ୍ତି ନାହିଁ ବୋଲି ଜଣାଇଛନ୍ତି ।
ସେ ଏକ ସାକ୍ଷାତକାରରେ କହିଛନ୍ତି, ‘ପ୍ରତ୍ୟେକ କୋ-ଷ୍ଟାର୍ସ ଆପଣଙ୍କୁ ଏକ ନିଆରା ଦୃଷ୍ଟିକୋଣ ପ୍ରଦାନ କରନ୍ତି । କିଛି ଷ୍ଟାର୍ସଙ୍କ ଠାରୁ ଭଲ ଅନୁଭୂତି ମିଳିଥାଏ ତ ଆଉ କିଛିଙ୍କ ଠୁ ଅଭିନୟ କରିବା ଶୈଳୀ ଏବଂ ସାହସ । ମୁଁ ଅଭିମନ୍ୟୁଙ୍କ ସହ ଆଖଁ ମେଁ ଚୋଲିରେ କାମ କରିଥିଲି ଏବଂ ସେ ମର୍ଦ କୋ ଦର୍ଦ ନେହିଁ ହୋତାରେ ଭଲ ଅଭିନୟ କରିଥିଲେ ।
ତାଙ୍କ ଭିତରେ ଏତେ ଶକ୍ତି ଅଛି ଯେ, ସେ ଏହି ଦୃଶ୍ୟକୁ ନିଜେ ଧରି ରଖିବାରେ ସକ୍ଷମ ହୋଇପାରିଥିଲେ । ସେହିପରି ପିପ୍ପାରେ ମୁଁ ଇଶାନ ଖଟ୍ଟର ଏବଂ ପ୍ରିୟାଂଶୁ ପାଇନୁଲିଙ୍କ ସହ କାମ କରିବି, ଉଭୟ ଯାହା କରନ୍ତି ସେଥିରେ କେବଳ ଆଦର୍ଶ ଥାଏ । ଏଥିପାଇଁ ମୁଁ ସବୁବେଳେ ଜବରଦସ୍ତ କାହାଣୀ ପାଇଁ ଫିଲ୍ମ ଚୟନ କରେ । ଯାହା ମୋ ଅଭିନୟ ଏବଂ ଦକ୍ଷତାକୁ ସମସ୍ତଙ୍କ ସାମ୍ନାରେ ଆଣିପାରିବ । ତେଣୁ ମୁଁ କୋ-ଷ୍ଟାରଙ୍କ ପାଇଁ ନୁହେଁ ବରଂ କାହାଣୀ ପାଇଁ ଫିଲ୍ମ ଚୟନ କରେ ।’
ପ୍ରକାଶ ଥାଉକି ଫିଲ୍ମ ‘ପିପ୍ପା’ରେ ଇଶାନଙ୍କ ଭଉଣୀ ଭୂମିକାରେ ଅଭିନୟ କରୁଛନ୍ତି ମୃଣାଳ । ଅଭିନେତ୍ରୀ ସୋନି ରାଜଦାନ ସେମାନଙ୍କ ମା' ଭୂମିକାରେ ଦେଖାଯିବେ । ଏହି ଯୁଦ୍ଧ ଡ୍ରାମାରେ ଇଶାନଙ୍କୁ ବ୍ରିଗେଡିୟର୍ ବଳରାମ ସିଂ ମେହେତାଙ୍କ ଭୂମିକାରେ ଦେଖିବାକୁ ମିଳିବ । ‘ଏୟାରଲିଫ୍ଟ’ ନିର୍ମାଣ କରିଥିବା ରାଜ କ୍ରିଷ୍ଣ ମେନନ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି ।
@IANS