ମୁମ୍ବାଇ: ବଲିଉଡରେ ଫ୍ରେଣ୍ଡସିପ୍ ଅପେକ୍ଷା ଶତ୍ରୁତା ଅଧିକ ଲୋକପ୍ରିୟ । ଦୁଇ ଷ୍ଟାରଙ୍କ ମଧ୍ୟରେ ମତଭେଦ କିଛି ନୂଆ ନୁହେଁ । ଆଉ ଏଥିରେ 2ଟି ନାମ ଯାହା ସମସ୍ତଙ୍କୁ ଜଣା ତାହା ହେଉଛି ସନ୍ନି ଦେଓଲ ଓ ଶାହାରୁଖ ଖାନ ।
ଡର୍ ଫିଲ୍ମ ସେଟରୁ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଫାଟ ଏବେ ଯାଏଁ ଚାଲିଆସିଛି । ହେଲେ ନିକଟରେ ବଲିଉଡର ଏହି ଆକ୍ସନ ଓ ରୋମାଣ୍ଟିକ ଷ୍ଟାରଙ୍କ ମଧ୍ୟରେ କିଛି ଘଟିଛି ଯାହା ଉଭୟଙ୍କ ଫ୍ୟାନ୍ସଙ୍କୁ ଏକ୍ସସାଇଟମେଣ୍ଟ କରିଛି । ପ୍ରକାଶ ଥାଉ କି ଶାହାରୁଖଙ୍କ ପ୍ରଯୋଜନା ସଂସ୍ଥା ରେଡ ଚିଲିଜ ଏଣ୍ଟରଟେନମେଣ୍ଟ ବ୍ଲକବଷ୍ଟର ଫିଲ୍ମ ଦାମିନୀର ରିମେକ ପାଇଁ ଏହାର କପିରାଇଟ୍ସ ଅରଜିନାଲ ମେକର୍ସଙ୍କ ଠାରୁ କିଣିଥିଲେ । ହେଲେ ପଛରେ ଶାହାରୁଖ ଶୁଣିବାକୁ ପାଇଥିଲେ ଯେ ଫିଲ୍ମର ଲିଡ୍ ହିରୋ ସନ୍ନି ଦେଓଲ ନିଜ ପୁଅକୁ ନେଇ ଏହାର ରିମେକ୍ କରିବାକୁ ଚାହୁଁଛନ୍ତି ।
ଆଉ ଏହାପରେ ଉତ୍ତମ ବନ୍ଧୁର ପରିଚୟ ଦେଇ ଲକଡାଉନ ପୂର୍ବରୁ ସନ୍ନିଙ୍କ ଘରେ ଆଗୁଆ ସୂଚନା ନଦେଇ ପହଞ୍ଚିଥିଲେ ଶାହାରୁଖ । ସନ୍ନିଙ୍କ ଜୁହୁ ବଙ୍ଗଲାରେ ଶାହାରୁଖ ପହଞ୍ଚି ନିଜେ ତାଙ୍କୁ ଦାମିନୀର କପିରାଇଟ୍ସ ପ୍ରଦାନ କରିଥିଲେ । ଉଭୟଙ୍କ ମଧ୍ୟରେ ଥିବା ତିକ୍ତତା କମ କରିବାକୁ କିଙ୍ଗ ଖାନଙ୍କ ଏପରି ପ୍ରୟାସକୁ ଦୁଇ ଷ୍ଟାରଙ୍କ ଫ୍ୟାନ୍ସ ଖୁବ୍ ତାରିଫ କରିଛନ୍ତି ।
ଆପଣଙ୍କୁ ଜଣାଇରଖୁଛୁ ଯେ ଡର୍ ଫିଲ୍ମରେ ତାଙ୍କ ଭୂମିକାକୁ କମ କରାଯାଇଥିବାରୁ ମେକର୍ସଙ୍କ ଉପରେ ରାଗି ଯାଇଥିଲେ ସନ୍ନି । ସେ କହିଥିଲେ ତାଙ୍କୁ ଷ୍ଟୋରୀ ଶୁଣାଇବାବେଳେ ଜଣାନଥିଲା ଯେ ଫିଲ୍ମରେ ଭିଲେନକୁ ଏତେ ଗୁରୁତ୍ବ ଦିଆଯିବ । ଏହାପରେ ସନ୍ନି ଓ ଶାହାରୁଖଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଫିଲ୍ମ ସୁଟିଂ ସେଟରେ ମଧ୍ୟ ସେମାନଙ୍କ ମଧ୍ୟରେ କିଛି ତିକ୍ତତା ଦେଖାଦେଇଥିଲା।