ନୂଆଦିଲ୍ଲୀ : କୋରୋନା ସଂକ୍ରମଣର ଗତି ଧୀରେ ଧୀରେ ହ୍ରାସ ପାଉଥିବା ମଧ୍ୟରେ ମୁମ୍ବାଇରେ ପୁଣିଥରେ ଫିଲ୍ମ ସୁଟିଂ ଆରମ୍ଭ ହୋଇଯାଇଛି । ଅମିତାଭ ବଚ୍ଚନ, ଅଜୟ ଦେବଗନ ଏବଂ ଅକ୍ଷୟ କୁମାରଙ୍କ ପରେ ଏବେ ଶାହରୁଖ ଖାନ ମଧ୍ୟ ସେଟକୁ ଫେରିଛନ୍ତି ।
ଶାହାରୁଖ ତାଙ୍କର ଆଗାମୀ ଜାସୁସୀ-ଥ୍ରୀଲର ଫିଲ୍ମ 'ପଠାନ'ର ସୁଟିଂ ଆରମ୍ଭ କରିଛନ୍ତି । ଶୁକ୍ରବାର ଦିନ ତାଙ୍କର ଚମତ୍କାର ଲଗଜ୍ୟୁରୀ କାର ମୁମ୍ବାଇର ୟଶ ରାଜ ଷ୍ଟୁଡିଓ ବାହାରେ ଦେଖିବାକୁ ମିଳିଥିଲା ।
ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ପୁଣିଥରେ ଦୀପିକା ପାଦୁକୋନଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ଶାହାରୁଖ ।
ସୂତ୍ରାନୁସାରେ, ଲକଡାଉନ୍ ପରେ ପଠାନ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି । କୋରୋନାର ଦ୍ବିତୀୟ ଲହର ଯୋଗୁଁ ପଠାନ ଫିଲ୍ମର ସୁଟିଂ ବନ୍ଦ ହୋଇଯାଇଥିଲା । ଶାହାରୁଖ ବର୍ତ୍ତମାନ ଫିଲ୍ମ ପାଇଁ ସୁଟିଂ କରିବାକୁ ଯାଉଛନ୍ତି । ଜନ୍ ଆବ୍ରାହମ୍ ଏବଂ ଦୀପିକା ମଧ୍ୟ ଆଗାମୀ ଦିନରେ ଶୁଟିଂ ଆରମ୍ଭ କରିବେ ବୋଲି ଶୁଣିବାକୁ ମିଳୁଛି ।
ଜନ୍ 'ପଠାନ'ରେ ଭିଲେନ ଭୂମିକାରେ ନଜର ଆସିବେ ।
ପ୍ରକାଶ ଥାଉ ଯେ, ଶାହରୁଖ ଶୁକ୍ରବାର ଦିନ ଇଣ୍ଡଷ୍ଟ୍ରିରେ 29 ବର୍ଷ ପୂରଣ କରିଛନ୍ତି । ଶାହାରୁଖଙ୍କ ଡେବ୍ୟୁ ଚଳଚ୍ଚିତ୍ର 'ଦିୱାନା' 25 ଜୁନ୍ 1992 ରେ ମୁକ୍ତିଲାଭ କରିଥିଲା ।