ନୂଆଦିଲ୍ଲୀ:କୃଷ୍ଣସାର ମୃଗ ଶିକାର ମାମଲାକୁ ନେଇ ହାଇକୋର୍ଟରେ ଆବେଦନ କଲେ ବଲିଉଡ ସୁପରଷ୍ଟାର ସଲମାନ ଖାନ୍ । ଶୁଣାଣି ସମୟରେ ଅଦାଲତରେ ଭର୍ଚୁଆଲ ଉପସ୍ଥିତ ରହିବାକୁ ନିବେଦନ କରିଛନ୍ତି ସେ । ବ୍ୟକ୍ତିଗତ କାର୍ଯ୍ୟ ଥିବା ଦର୍ଶାଇ ସଲମାନ ଏହି ଆବେଦନ କରିଛନ୍ତି ।
ତେବେ ଆଜି(ଗୁରୁବାର) ରାଜସ୍ଥାନ ହାଇକୋର୍ଟରେ ସଲମାନଙ୍କ କୃଷ୍ଣସାର ମୃଗ ଶିକାର ମାମଲାର ଶୁଣାଣି ହୋଇଛି । ଯୋଧପୁର ମୁଖ୍ୟପୀଠ ଆବେଦନର ଶୁଣାଣି କରି ମାମଲାର ପରବର୍ତ୍ତି ଶୁଣାଣି ଶୁକ୍ରବାରକୁ ଘୁଞ୍ଚାଇଛନ୍ତି । ଏଥିସହ ଶୁଣାଣି ସମୟରେ ସଲମାନଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଅନ୍ୟପଟେ ପରବର୍ତ୍ତୀ ଶୁଣାଣି ସମୟରେ ସଲମାନ ଉପସ୍ଥିତ ରହିପାରିବେ ନାହିଁ ବୋଲି କହିଛନ୍ତି ତାଙ୍କ ଓକିଲ ହସ୍ତିମଲ ସାରସ୍ବତ । ବ୍ୟକ୍ତିଗତ କାମ ଥିବାରୁ ସଲମାନ ଭର୍ଚୁଆଲ୍ ଉପସ୍ଥିତ ରହିବାକୁ ଚାହୁଁଥିବା ନେଇ ତାଙ୍କ ଓକିଲ କୋର୍ଟରେ ନିବେଦନ କରିଛନ୍ତି ।
ଏହି ମାମଲାରେ ସଲମାନ ପୂର୍ବରୁ କୋର୍ଟରେ ନିଜର ଅନୁପସ୍ଥିତିକୁ ନେଇ 16 ଥର କ୍ଷମା ପ୍ରାର୍ଥନା କରିଛନ୍ତି । ଏଥି ମଧ୍ୟରୁ ତାଙ୍କୁ କୋରୋନା କାଳରେ ମୋଟ 6 ଥର କ୍ଷମା ମିଳିଛି । 23 ବର୍ଷ ଧରି ଚାଲିଥିବା ଏହି ମାମଲାରେ ଏପର୍ଯ୍ୟନ୍ତ ସଲମାନଙ୍କ ବିରୋଧରେ ଚାରିଟି ମାମଲା ରୁଜୁ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ