ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ଆମେରିକାର ହ୍ୟୁଷ୍ଟନରେ ଏକ ଲାଇଭ ପ୍ରଦର୍ଶନକୁ ରଦ୍ଦ କରିଦେଇଛନ୍ତି । ଖବର ଅନୁଯାୟୀ ସଲମାନ ଏଥି ପାଇଁ ଶୋ ରଦ୍ଦ କରିଛନ୍ତି, କାରଣ ଏହାର ଆୟୋଜକ ଜଣେ ପାକିସ୍ତାନି ଇଭେଣ୍ଟ ମ୍ୟାନେଜର ରେହାନ ସିଦ୍ଦିକୀ । ସେ ପାକିସ୍ତାନୀ ନାଗରିକ ହେବା ସହ ତାଙ୍କ ଉପରେ ଆମେରିକାରେ ଭାରତ ବିରୋଧୀ ଗତିବିଧି ଓ ଫଣ୍ଡିଂର ମଧ୍ୟ ଅଭିଯୋଗ ରହିଛି। ଖାଲି ଏତିକି ନୁହେଁ ରିପୋର୍ଟ ଅନୁଯାୟୀ, ହ୍ୟୁଷ୍ଟନରେ ଥିବା ସିଦ୍ଦିକୀ ଅତିତରେ ଆମେରିକାରେ ଷ୍ଟାର୍ସଙ୍କ କାର୍ଯ୍ୟକ୍ରମରେ ଟଙ୍କା ଏକଜୁଟ କରି ଭାରତ ବିରୋଧୀ ଗତିବିଧିରେ କଥିତ ରୂପେ ସମର୍ଥନରେ ସାମିଲ ଥିଲେ ।
ପ୍ରକାଶ ଥାଉକି ଏହା ପ୍ରଥମଥର ନୁହେଁ ଯେବେ ସିଦ୍ଦିକୀ କୌଣସି ଇଭେଣ୍ଟର ଆୟୋଜନ କରିଛନ୍ତି । ଏହାପୂର୍ବରୁ ସେ ବଲିଉଡ ଷ୍ଟାର୍ସଙ୍କ ସହ ସଙ୍ଗୀତ ସମାରୋହର ଅନେକ ଆୟୋଜନ କରିଥିଲେ । ସେ ଏଯାବତ 400ରୁ ଅଧିକ ଶୋର ଆୟୋଜନ କରିସାରିଛନ୍ତି । ଏହି ଇଭେଣ୍ଟରେ ଭାରତ ସହ ପାକିସ୍ତାନର ମଧ୍ୟ ସେଲିବ୍ରିଟି ଯୋଗ ଦିଅନ୍ତି।
ଏହି କ୍ରମରେ ସୈଫ ଅଲ୍ଲୀ ଖାନ, ମିକା ସିଂ, ପଙ୍କଜ ଉଦାସ, ରାପର ବାଦଶାହ ମଧ୍ୟ ସିଦ୍ଦିକୀଙ୍କ କାର୍ଯ୍ୟକ୍ରମରେ ଭାଗ ନେଇସାରିଛନ୍ତି । ଏବେ ଶୁଣିବାକୁ ମିଳୁଛି ଯେ ସିଦ୍ଦିକୀ ବର୍ତ୍ତମାନ ହ୍ୟୁଷ୍ଟନରେ ସିଏଏ ବିରୋଧ ପ୍ରଦର୍ଶନ ଆୟୋଜନ କରିବାକୁ ଯୋଜନା କରିଛନ୍ତି।
କିଛି ଦିନ ପୂର୍ବରୁ ଫେଡରେଶନ ଅଫ ୱେଷ୍ଟର୍ଣ୍ଣ ସିନେ ଏମ୍ପଲୟିଜ ଦିଲଜିତ ଦୋସାଞ୍ଝଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରିଥିଲେ । କାରଣ ସେ ମଧ୍ୟ ଆମେରିକାରେ ସିଦ୍ଦିକୀଙ୍କ କାର୍ଯ୍ୟକ୍ରମରେ ଅଂଶ ହେବାକୁ ଯାଉଥିଲେ । ଯାହାପରେ ଏହି ମାମଲାରେ ଫେଡରେଶନ ଦିଲଜିତଙ୍କୁ ନୋଟିସ ପଠାଇଥିଲେ । ଏପ୍ରିଲ 10ରେ ଆୟୋଜନ ହେବାର ଅଛି । ହେଲେ ଦିଲଜିତ ଏହାକୁ ରଦ୍ଦ କରିଦେଇଛନ୍ତି ।